ବ୍ରହ୍ମପୁର, ୨୨/୦୪(ପିପିଟି): ପାରମ୍ପରିକ ଚାଷ ଏବଂ ସର୍ବୋପରି ପରିବେଶକୁ ସୁରକ୍ଷା କରାଯାଇ ପାରିଲେ ଚାଷ ହିଁ ଧରିତ୍ରୀ ମାଁ ର ସୁରକ୍ଷା ବୋଲି ଆଜି ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ବିଭିନ୍ନ ବକ୍ତା ମତ ପୋଷଣ କରିଛନ୍ତି । ଲୋକଶକ୍ତି ଅଭିଯାନ ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ଏବଂ ଋଷିକୂଲ୍ୟା ରୟତ ମହାସଭା ତରଫରୁ ସିଦ୍ଧେଶ୍ୱର ଗଣିଆନାଳ ଛକସ୍ଥ ପରିବେଶ ସୁରକ୍ଷା ଓ ଦେଶିଚାଷ ପ୍ରଶିକ୍ଷଣ କେନ୍ଦ୍ରଠାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ସାମ୍ବାଦିକ ତଥା ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ବିଶିଷ୍ଟ ପରିବେଶବିତ୍ ତଥା ଲୋକଶକ୍ତି ନିର୍ମାଣ ଟ୍ରଷ୍ଟର ସଭାପତି ପ୍ରଫୁଲ୍ଲ ସାମନ୍ତରା ସ୍ବାଗତ ଭାଷଣ ଅବସରରେ ବିଶ୍ୱରେ ସମ୍ପ୍ରତି ଧରିତ୍ରୀ କିପରି ଅସହାୟ ଭାବେ କ୍ଷତାକ୍ତ ଓ କ୍ରନ୍ଦନରତା ହୋଇଛି , ତାହା ବିଷଦ ଭାବେ ବ୍ୟକ୍ତ କରିଥିଲେ । ପରିବେଶକୁ ସୁରକ୍ଷା ଏବଂ ରାସାୟନିକ ସାର ବ୍ୟବହାରକୁ ବର୍ଜ୍ୟ କରି ପାରମ୍ପରିକ ଚାଷକୁ ପୁଣିଥରେ ଆପଣେଇବାକୁ ସେ ଗୁରୁତ୍ଵ ପ୍ରଦାନ କରିଥିଲେ । ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ତରଫରୁ ପ୍ରଥମ ରବିରାୟ ପରିବେଶ ସୁରକ୍ଷା ସମ୍ମାନ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ସଭାପତି ସୁଧୀର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ନିଜ ଅଭିଭାଷଣରେ ଶ୍ରୀ ରାଉତ ନିଜ ନିଜ ମାନସିକତାରେ ପରିବର୍ତ୍ତନ ଅଣାଇ ଯେକୌଣସି ସ୍ତରରେ ପରିବେଷଣ ସୁରକ୍ଷା କରିବାକୁ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା ମଧ୍ୟମ ଓ କ୍ଷୁଦ୍ର ସମ୍ବାଦପତ୍ର ସମ୍ପାଦକ ସଂଘର ରାଜ୍ୟ ସଭାପତି ରବି ରଥ,ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଂଚଳ ନାହାକ, ଲୋକଶକ୍ତି ନିର୍ମାଣ ଟ୍ରଷ୍ଟର ସାମ୍ବାଦିକା ଡ଼ଃ ଉଷାରାଣୀ ଆଚାର୍ଯ୍ୟ,ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା, ସ୍ଥାନୀୟ ଅଂଚଳର ସମାଜସେବୀ ବୃନ୍ଦାବନ ଖଟେଇ, ବାମପନ୍ଥୀ ନେତା ଶଙ୍କର ସାହୁ, ପରିବେଶପ୍ରେମୀ ଲୋକନାଥ ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଉପସ୍ଥିତ ଚାଷୀମାନେ ୨୧ ପ୍ରକାର ଦେଶୀବିହନ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଚାଷୀ ବିହନ ଅଦଳ ବଦଳ କରି ପାରମ୍ପରିକ ଓ ଦେଶୀ ଚାଷକୁ ଆପଣେଇବାରେ ସଂକଳ୍ପ ଗ୍ରହଣ କରିଥିଲେ । ବର୍ଷୀୟାନ ଚାଷୀ ବିଜୟ ସ୍ବାଇଁ ଙ୍କ ଦ୍ଵାରା ପ୍ରଥମେ ଆଜିର ଦିବସର ମହତ୍ତ୍ଵ ଓ ପରିବେଶ ସୁରକ୍ଷା ସଂପର୍କରେ ଚାଷୀ ଗୀତ ଗାନରେ କାର୍ଯ୍ୟ ସଭା ଉଦ୍ଘାଟିତ ହୋଇଥିଲା । ଡଃ.ଉଷାରାଣୀ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।