ବିଶ୍ବ ଆଦିବାସୀ ଦିବସ ପାଳିତ ।

ଗୁଣପୁର,୦୯/୦୮(ପିପିଟି):ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଗୁଣପୁର ବ୍ଲକ ରେଗଡା ପଞ୍ଚାୟତର ସୁବୁଦ୍ଧିଗୁଡା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ମିଳିତ ଭାବେ ସମାବେଶର ଆୟୋଜନ କରାଯାଇଥିଲା । ସଙ୍ଗଠନର ଜିଲ୍ଲା କମିଟି ସଭ୍ୟ ତଥା ବରିଷ୍ଠ ଆଦିବାସୀ ନେତା ଅର୍ଜୁନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ଅଖିଳ ଭାରତ ଆଦିବାସୀ ସଭାର ଆବାହକ କେଦାର ଶବର ମୁଖ୍ୟବକ୍ତା ଓ ସିପିଆଇ (ଏମ-ଏଲ) ନିଉ ଡେମୋକ୍ରାସୀର ରାଜ୍ୟ କମିଟି ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧି ନୀତି ଯୋଗୁଁ ଆଦିବାସୀମାନେ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଥିଲେ । ସରକାର ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦ ଉପରେ ଆଦିବାସୀଙ୍କୁ ଅଧିକାର ଦେବା ବଦଳରେ ବଡ ବଡ କମ୍ପାନୀଙ୍କ ସ୍ଵାର୍ଥରେ ସେସବୁ ଅଧିକାରକୁ ଛଡେଇବାରେ ଲାଗିଛନ୍ତି ବୋଲି କହିଥିଲେ । ବିକାଶ ନାଁରେ ଆଦିବାସୀଙ୍କ ଜମି, ଜଙ୍ଗଲ, ପରିବେଶ ଓ ଜୀବିକାକୁ ଛଡେଇବାର ଷଡ଼ଯନ୍ତ୍ରକୁ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ରାଷ୍ଟ୍ରପତି ଉଭୟ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ନିଜର ଭିଟାମାଟିର ସୁରକ୍ଷା ପାଇଁ ଏଠାରେ ଆଦିବାସୀମାନଙ୍କୁ ଲାଠି ଖାଇବାକୁ ପଡିବା ଦୁର୍ଭାଗ୍ୟଜନକ ବେଲି କହିଥିଲେ ।

ଓଡ଼ିଶାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା ଆଦିବାସୀ ହୋଇଥିଲେ ବି ସରକାର ସେମାନଙ୍କ ଭାଷା, ଲିପି ଓ ସଂସ୍କୃତିର ବିକାଶ ଦିଗରେ କୌଣସି ଉଦ୍ୟମ ନକରିବା ଫଳରେ ଅନେକ ଆଦିବାସୀ ସମ୍ପ୍ରଦାୟ ଓ ସେମାନଙ୍କ ଭାଷା ନିଶ୍ଚିହ୍ନ ହେବାକୁ ବସିଛି ବୋଲି କହିଥିଲେ । ଅତଏବ ଆଦିବାସୀମାନେ ନିଜର ଜମି, ଜଙ୍ଗଲ ଓ ଜୀବିକାର ସୁରକ୍ଷା ସହ ଭାଷା ଓ ସଂସ୍କୃତିର ସୁରକ୍ଷା କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ରମେଶ ଶବର, ତୁଳସୀ ଶବର, ଶୁକୁ ଶବର, ବୁଦ୍ଧଦେବ ଶବର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ଆଦିବାସୀ ନେତା ବୁଦ୍ଧ ଗମାଙ୍ଗଙ୍କ ଦ୍ଵିତୀୟ ମୃତ୍ୟୁ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଲୋକେ ତାଙ୍କର ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Comments (0)
Add Comment