ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨କୁ ଜାଳିଲେ ।

ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨କୁ ଜାଳିଲେ ।

ବ୍ରହ୍ମପୁର,୧୫/୧୧(ପିପିଟି): ଆଜି ସ୍ଵାଧୀନତା ଆନ୍ଦୋଳନର ମହାନ୍ ଯୋଦ୍ଧା ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ପାଳିତ ହୋଇଥିଲା । ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ଧରାକୋଟ ବ୍ଳକର ସାବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛଣପଟା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଆଦିବାସୀ ଯୋଗ ଦେଇଥିଲେ । ଏହି ଅବସରରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ବିର୍ସା  ମୁଣ୍ଡାଙ୍କ ସଂଗ୍ରାମକୁ ଉଲ୍ଲେଖ କରାଯିବା ସହ ଜମି, ଜଙ୍ଗଲ ଉପରେ ଅଧିକାର ପାଇଁ ବିରସାଙ୍କ ନେତୃତ୍ୱରେ ଝାଡଖଣ୍ଡର ଆଦିବାସୀଙ୍କ ଉକ୍ତ ଐତିହାସିକ ସଂଗ୍ରାମ ବା ଉଲଲୁଗାନକୁ ସ୍ମରଣ କରାଯାଇଥିଲା । କିଶାନ୍ ମଜଦୁର୍ ସଭାର ବ୍ଳକ୍ କମିଟି ସଦସ୍ୟ ରବି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ନିଜ ଭାଷଣରେ କହିଥିଲେ ଯେ ବିର୍ସା ମୁଣ୍ଡା ବ୍ରିଟିଶ ସାମ୍ରାଜ୍ୟବାଦୀଙ୍କ ଦ୍ବାରା ଆଦିବାସୀଙ୍କ ଜମି ଓ ଜଙ୍ଗଲ ଅଧିକାର ଉପରେ ଆକ୍ରମଣ ବିରୋଧରେ ବିଦ୍ରୋହ କରିଥିଲେ । ଅଧିକାରର ସୁରକ୍ଷା ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିଲେ । ଆଜି ବି ଦେଶର ଶାସକମାନେ ଆଦିବାସୀଙ୍କୁ ବିତାଡିତ କରି ସେମାନଙ୍କ ଜମି ଓ ଜଙ୍ଗଲକୁ ହଡପ କରି ବଡ ବଡ କମ୍ପାନୀକୁ ଟେକି ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଥିଲେ । ନିକଟରେ କେନ୍ଦ୍ରର ବିଜେପି ଓ ଆରଏସଏସ୍ ସରକାର ଯେଉଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨ ଆଣିଛନ୍ତି, ତାହା ଆଦିବାସୀମାନଙ୍କ କଷ୍ଟାର୍ଜିତ ଜଙ୍ଗଲ ଅଧିକାର ଆଇନକୁ ଦୁର୍ବଳ କରିବା ସହ। କର୍ପୋରେଟ୍ କମ୍ପାନୀଙ୍କ ହାତରେ ହଜାର ହଜାର ଏକର ଜଙ୍ଗଲ ଜମି ଟେକି ଦେବା ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨କୁ ଦାସତ୍ଵର ପ୍ରତୀକ ବୋଲି କହି ସାରା ଦେଶରେ ତାର ପ୍ରତିକୁ ପୋଡିବାକୁ ଆଦିବାସୀ ଓ ପାରମ୍ପରିକ ବନଜୀବିଙ୍କ ମଧ୍ୟରେ କାର୍ଯ୍ୟରତ ସଂଗଠନମାନେ ଡାକରା ଦେଇଛନ୍ତି ବୋଲି କହିଥିଲେ । ସଭା ଶେଷରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ – ୨୦୨୨ ର କପିକୁ ପୋଡାଯାଇଥିଲା । ଆଗାମୀ ଦିନରେ ଏହି ନିୟମାବଳୀକୁ ପ୍ରତ୍ୟାହାର ନକଲେ ଆଦିବାସୀମାନେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଆଇକେଏମଏସ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ବ୍ଳକ୍ କମିଟି ସଭାପତି ଯକ୍ଷ ଗମାଙ୍ଗ, ଅରଖିତ ଗମାଙ୍ଗ, ଲକ୍ଷ୍ମୀ ନୃସିଂହ ରଥ, ଦୟାନିଧି ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment