***ବିରହ ବିଳାପ***

ତୁମେ ତ ଆସିଲ ମୋ ପ୍ରେମ ପଥରେ
ଭସା ବାଦଲଟି ହୋଇ…..
କେଉଁଠି ବରଷି ମେଣ୍ଟାଇଲ ତୃଷା
କୋଉଠି ତ ମରୁ ଭୂଇଁ….!!
ତୁମେ ତ ଆସିଲ ମୋ ପ୍ରେମ ପଥରେ
ଗୋଲାପ କୁସୁମ ହୋଇ…..
କା’ ଶେଯରେ ତୁମେ ହସିଲ ନାଚିଲ
କଣ୍ଟା ହେଲ କାହା ପାଇଁ….!!
ତୁମେ ତ ଆସିଲ ଫଗୁଣ ଦୋଳି ରେ
ପ୍ରେମିକ ସାଜିଲି ମୁହିଁ….
ସପନେ ଗୋପନେ କଲ କଲବଲ
ଧରା ଛୁଆଁ ଦେଲ ନାହିଁ….!!
ତୁମେ ତ ମୋହିଲେ ମନକୁ ମୋହର
ପାଗଳ ହୋଇଗଲି ମୁହିଁ….
ଆଶା କରି କରି ନିରାସ ହୋଇଲି
ଦୂରେ ଚାଲିଗଲ କାହିଁ….!!
ତୁମେ ତ ସୁନ୍ଦରୀ ସରଗର ପରୀ
ହସରେ ବରଷେ ମହୁ….
ଝଟକ ବିଜୁଳି ପରି ମନ ତୁମ
ହଜି ଯାଅ ଚାହୁଁ ଚାହୁଁ….!!
ଆଜି ମୁଁ ପିଇଛି ବିରହେ ଲୋତକ
ନୟନୁ ନିର୍ଗତ ଯେତେ….
କାହିଁକି ଆସିଲ ଜୀବନେ ମୋହର
ଦୁଃଖ ଦେଇ ଗଲ କେତେ….!!
ଶୂନ୍ୟ ପଡିଛି ଭଗ୍ନ ହୃଦୟ
ଶ୍ମଶାନ ହୋଇଛି ଘର…..
ନର୍କ ହୋଇଛି ମୋ ଜୀବନ ପଥ
ସହି ସହି ଅତ୍ୟାଚାର…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment