ବିରଜା ହାଟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ।

ଯାଜପୁର, ୦୩/୦୪(ପିପିଟି): ଓଡ଼ିଶା ସରକାରଙ୍କ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଦ୍ଵାରା ମାଆ ବିରଜା ମନ୍ଦିର ନିକଟରେ ବିରଜା ହାଟର ପୁନରୁଦ୍ଧାର ଓ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯାଜପୁର ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଏବଂ ଜିଲ୍ଲାପାଳ  ଅମ୍ବର କୁମାର କର ଯୋଗ ଦେଇଥିଲେ। ବିରଜା ହାଟର ବିକାଶ ପାଇଁ ପ୍ରାୟ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଜାନୁଆରୀ ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ବିରଜା ହାଟ ପ୍ରକଳ୍ପରେ ୧୨୪ ଟି ସ୍ଥାୟୀ ଦୋକାନ, ୩୧୨ ଟି ଭେଣ୍ଡିଂ ସପ୍ ସହ ପାର୍କିଂ, ଚଲାପଥ, ସୁରକ୍ଷା କିଓସ୍କ, ପାଚେରୀ, ଜଳ ନିଷ୍କାସନ ବ୍ୟବସ୍ଥା ଇତ୍ୟାଦି ବିକଶିତ ହେବ। ନୂତନ ବିରଜା ହାଟର ଉନ୍ନତ ଭିତ୍ତିଭୂମି ଏବଂ ସୁବ୍ୟବସ୍ଥିତ ବଜାର ଯୋଗୁଁ ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ବଳ ସାମନ୍ତ କହିଥିଲେ। ବିରଜା ହାଟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ବାସିନ୍ଦାଙ୍କୁ ଏକ ସୁରକ୍ଷିତ ଏବଂ ସ୍ୱଚ୍ଛ ବଜାର ସୁବିଧା ମିଳିବ। ଏହି ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ  ତାପସ ରଞ୍ଜନ ଦେହୁରୀ, ରାସ୍ତା ଓ କୋଠାବାଡ଼ି ଅଧିକ୍ଷଣ ଯନ୍ତ୍ରୀ  କୋମଲ କୁମାର ସ୍ୱାଇଁଙ୍କ ସମେତ ପ୍ରଶାସନର ଅଧିକାରୀଗଣ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Comments (0)
Add Comment