ଭଞ୍ଜନଗର,୩୦/୦୬(ପିପିଟି): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୁରୁବାର ଭଞ୍ଜନଗର ସହରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ପ୍ରଥମେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୩କୋଟି ୫୯ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ନୂତନ ଏକାଡ଼େମୀକ୍ ବ୍ଲକର ଶିଳାନ୍ୟାସ ଏବଂ ନୂତନ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥିଲେ । ଏହାପରେ ହାତୀବନ୍ଧ ନିକଟରେ ୨କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସେହିପରି ଭଞ୍ଜନଗର ବଡ଼ତୋଟା ସାହି ଠାରେ ପରିଚୟ ଗୃହ ଉଦ୍ଘାଟନ କରିବା ପରେ ଭଞ୍ଜନଗର ଉପଖଣ୍ଡ ଡ଼ାକ୍ତରଖାନା ନିକଟରେ ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସର୍ବସାଧାରଣ ଶୌଚାଳୟର ଉଦ୍ଘାଟନ କରିଥିଲେ। ସେଠାରୁ ଭଞ୍ଜନଗର ରେଡ୍କ୍ରସ୍ ରୋଡ୍ ଠାରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଲୋକାର୍ପିତ କରିବା ପରେ ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଶବଦାହ ଗୃହର ଉଦ୍ଘାଟନ କରିଥିଲେ। ଏହାପରେ ଶ୍ରୀରାମ ମନ୍ଦିର ନିକଟରେ ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟନ ଏବଂ ଭଞ୍ଜନଗର ବସଷ୍ଟାଣ୍ଡ ପଛପାର୍ଶ୍ଵରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ କରିବା ପରେ ନିୟନ୍ତ୍ରିତ ବଜାର କମିଟି ଠାରେ ନୂତନ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀ ଆରୁଖଙ୍କ ସହ ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏନ୍ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,କଲେଜ ପରିଚାଳନା କମିଟି ସଦସ୍ୟ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କଲେଜ ଅଧ୍ୟକ୍ଷ ଡ଼. ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତା,କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)