ବିବାହ ଶୋଭାଯାତ୍ରା ବେଳେ ଆକ୍ରମଣ ଘଟଣାରେ ଦଳିତ ଲୋକେ ଆଇଜିଙ୍କୁ ଭେଟିଲେ ।

ବ୍ରହ୍ମପୁର,୩୦/୦୪(ପିପିଟି):ଗତ ଏପ୍ରିଲ ୨୬ ତାରିଖରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବଡ଼ ବଦାଙ୍ଗୀ ଗ୍ରାମରେ ସର୍ବସାଧାରଣ ରାସ୍ତାରେ ଦଳିତ ସମ୍ପ୍ରଦାୟର ଲୋକେ ବିବାହ ଶୋଭାଯାତ୍ରାରେ ଯିବାକୁ ନେଇ ଗାଁର କିଛି ସବର୍ଣ୍ଣ ଲୋକ ଜାତିଗତ କାରଣରୁ ବିରୋଧ କରିଥିଲେ। ଦଳିତମାନେ ରାସ୍ତାରେ ଯିବାର ଆମର ଅଧିକାର ରହିଛି ଏବଂ ଜାତିଗତ କାରଣରୁ ଏଭଳି ବାରଣ କରିବା ବେଆଇନ ବୋଲି କହିବା ପରେ ସେମାନଙ୍କ ଉପରେ ସଂଘବଦ୍ଧ ଭାବେ ଠେଙ୍ଗାବାଡ଼ିରେ ଆକ୍ରମଣ କରାଯାଇଥିଲ। ଆକ୍ରମଣ ଫଳରେ ବଡ଼ବଦାଙ୍ଗୀର ୯ ଜଣ ଓ ଗୋଛାର ଦୁଇ ଜଣ ଦଳିତ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ସୋରଡ଼ା ଥାନାରେ ଏ ସମ୍ପର୍କରେ ଏତଲା ଦିଆଯାଇଥିଲେ ମଧ୍ୟ ସୋରଡ଼ା ପୋଲିସ ରାଜନୈତିକ ଚାପର ଶିକାର ହୋଇ ପୀଡିତଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ବଦଳେଇ ଦୁର୍ବଳ କରି ଦିଆଯାଇଛି। ଏପରିକି ଗାଁରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଜାତିଗତ ଭେଦଭାବ ସମ୍ପର୍କରେ ପୀଡ଼ିତ ବ୍ୟକ୍ତି କରିଥିବା ଉଲ୍ଲେଖକୁ ଏତଲାରୁ ହଟେଇବାକୁ ବାଧ୍ୟ କରାଯାଇଛି। ଏପରିକି ଘଟଣା ଘଟିବାର ତିନି ଦିନ ପରେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ। ଯାରି ଫଳରେ ଗାଁରେ ସମ୍ପୃକ୍ତ ସବର୍ଣ୍ଣ ଆକ୍ରମଣକାରୀମାନେ ଆତଙ୍କରାଜ ଚଳାଇଥିବା ବେଳେ ସଂଖ୍ୟାଲଘୁ ଦଳିତ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଡ ବଦାଙ୍ଗି ଗ୍ରାମରେ ଦଳିତ ଲୋକମାନେ ଗାଁର ସବର୍ଣ୍ଣ ଲୋକଙ୍କ ଦ୍ୱାରା ଲଗାତାର ଭାବେ ଜାତିଆଣ ଭେଦଭାବ ଓ ହିଂସାର ଶିକାର ହୋଇ ଆସୁଛନ୍ତି। ଗାଁର ସର୍ବସାଧାରଣ ପୋଖରୀ ତୁଠ, ମନ୍ଦିରରେ ଦଳିତମାନଙ୍କ ପ୍ରବେଶ ଉପରେ କଟକଣା ରଖାଯାଇଛି। ଗାଁର ହୋଟେଲରେ ଜାତି ଆଧାରରେ ଦୁଇ ଗ୍ଳାସର ବ୍ୟବସ୍ଥା ଏବେ ବି ରହିଥିବା ବେଳେ ଦୋକାନରୁ ଜିନିଷ ପତ୍ର କିଣିବା ବେଳେ ଦଳିତ ଲୋକଙ୍କ ହାତକୁ ଜିନିଷକୁ ଫୋପାଡ଼ି ଦିଆଯାଉଛି।

ସୋରଡ଼ା ପୋଲିସର ଭୂମିକାରେ ନିରାଶ ହୋଇ ଘଟଣାର ନିରପେକ୍ଷ ତଦନ୍ତ କରିବା, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ଗାଁରେ ରହିଥିବାଜାତି ଆଧାରିତ ଭେଦଭାବ ଓ ଅସ୍ୱୃଶ୍ୟତାକୁ ଦୂର କରିବା ଦିଗରେ ଆଇନଗତ ପଦକ୍ଷେପ ନେବା ଦାବି କରି ଆଜି ଭଗବାନ ନାଇକ, ସନ୍ୟାସୀ ନାଇକ,ବିଚିତ୍ର ନାଇକ,ରତ୍ନାକର ନାଇକ, ଟୁକୁନା ନାଇକ, ମଧୁ ନାଇକ, ମଙ୍ଗଳା ନାଇକ,ମାଗି ନାଇକ,ଅରୁଣ ନାଇକ ପ୍ରମୁଖ ବଡ଼ବଦାଙ୍ଗୀର ଦଳିତ ଲୋକମାନେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କୁ ସାକ୍ଷାତ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେମାନେ ସ୍ୱାରକପତ୍ର ପ୍ରଦାନ କଲା ବେଳେ ବାମସେଫର ଦେବେନ୍ଦ୍ର ପାତ୍ର, ଦଳିତ ନେତା ଚିନ୍ତାମଣି ନାୟକ ପ୍ରମୁଖ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଦଳିତ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ପୀଡ଼ିତମାନଙ୍କୁ ନିଜର ସମର୍ଥନ ଜଣାଇଥିଲେ। ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ମଧ୍ୟ ସଭାପତି ଲିଟୁ ଦାସ, ଭୀମ ଆର୍ମିର ପୂର୍ବାଞ୍ଚଳ ୟୁନିଟ୍ ପ୍ରଭାରୀ ନିହାର ରଞ୍ଜନ ସାମଲ,ମହିଳା ସମ୍ପାଦିକା ଟିକିନା ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରୁ ଆସି ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

 

ଅନ୍ୟପକ୍ଷରେ ଆଜି ଓଡ଼ିଶା ଦଳିତ ମହାସଭା ପକ୍ଷରୁ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ବଡ଼ବଦାଙ୍ଗୀ ହିଂସା ଘଟଣ ପରିପ୍ରେକ୍ଷୀରେ ଜିଲ୍ଲାରେ ଦଳିତମାନଙ୍କ ଉପରେ ବାରମ୍ବାର ହେଉଥିବା ଜାତିଗତ ନିର୍ଯ୍ୟାତନା ଓ ହିଂସା ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହ ସଂଗଠନର ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ,ସଞ୍ଜୟ ନାୟକ,ଦାମୋଦର ସେଠୀ,ନିରଞ୍ଜନ ନାୟକ,ପ୍ରତାପ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏହି ଅବସରରେ ମହାସଭା ପକ୍ଷରୁ ୮ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ବଡ଼ ବଦାଙ୍ଗୀର ଜାତିଆଣ ହିଂସା କରିଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ଘଟଣାର ନିରପେକ୍ଷ ତଦନ୍ତ ସହ ଥାନାରେ ଏତଲାକୁ ବଳପୂର୍ବକ ବଦଳାଇବାକୁ ବାଧ୍ୟ କରିବା ଘଟଣାର ତଦନ୍ତ କରିବା, ବଡ଼ବଦାଙ୍ଗୀ ସମେତ ଜିଲ୍ଲାର ବିଭିନ୍ନ ଗାଁରେ ଚାଲିଥିବା ଜାତି ଆଧାରିତ ଭେଦଭାବ ଓ କଟକଣାକୁ ହଟାଇବା ପାଇଁ ପଦକ୍ଷେପ ନେବା, ଗଞ୍ଜାମ ଜିଲ୍ଲାକୁ ଜାତି ଉତ୍ପୀଡ଼ନ ପ୍ରବଣ ଜିଲ୍ଲା ରୂପେ ଘୋଷଣା କରି ଉତ୍ପୀଡ଼ନ ଦୂର ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା, ଜାତିଗତ ଉତ୍ପୀଡ଼ନ ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ପୋଲିସ ଓ ପ୍ରଶାସନକୁ ଅବଗତ କରାଯିବା, ସରକାରଙ୍କ ତରଫରୁ ଜାତି ବିଦ୍ୱେଷ ବିରୁଦ୍ଧରେ ତଥା ଆନ୍ତଃଜାତି ବିବାହ ପାଇଁ ରହିଥିବା ସରକାରୀ ପ୍ରୋତ୍ସାହନ ଯୋଜନାକୁ ପ୍ରଚାରିତ କରାଯିବା,ଆସିକା ବ୍ଳକ୍ ବାଲିଛାଇର ବିତାଡ଼ିତ ଅନୁସୂଚୀତ ଜାତିର ୫୦ଟି ପରିବାରକୁ ତୁରନ୍ତ ଥଇଥାନ କରାଯିବା,ଜିଲ୍ଲାର ଅନୁସୂଚୀତ ଜାତିର ଭୂମିହୀନ ଲୋକଙ୍କୁ ସରକାରୀ ଘୋଷଣା ମୁତାବକ ଚାରି ଡ଼େସିମିଲ ଜମି ପ୍ରଦାନ କରିବା ଆଦିି ରହିଥିଲା। ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଥିଲେ।

Comments (0)
Add Comment