ବିବାହ ପୂର୍ବରୁ ଦେଶ ପାଇଁ ଶହୀଦ ରାୟଗଡ଼ାର ଯବାନ ଭି. ତେଜା ।

ରାୟଗଡ଼ା,୦୬/୧୦: ଆସନ୍ତାକାଲି ଥିଲା ୩୧ତମ ଜନ୍ମଦିନ। ଡିସେମ୍ବର ୧୦ରେ ହୋଇଥାନ୍ତା ବିବାହ। ବାହାଘର ପାଇଁ ପରିବାରରେ ଚାଲିଥିଲା ପ୍ରସ୍ତୁତି। ଏଥିପାଇଁ ୫୦ ଦିନର ଛୁଟି ମଧ୍ୟ ମଞ୍ଜୁର ହୋଇଥିଲା। ହେଲେ ସବୁ ସ୍ୱପ୍ନ ଅଧୁରା ରହିଗଲା। ନାଗାଲାଣ୍ଡରେ କର୍ତ୍ତବ୍ୟରତ ଅବସ୍ଥାରେ ଗୁଳିମାଡ଼ରେ ଶହୀଦ ହୋଇଛନ୍ତି ରାୟଗଡ଼ାର ଯବାନ ଭି. ତେଜା।

ଆସାମ ରାଇଫଲସରେ ଯବାନ ଭାବେ କାର୍ଯ୍ୟରତ ତେଜା ନାଗାଲାଣ୍ଡରେ କର୍ତ୍ତବ୍ୟରତ ଥିବା ବେଳେ ଗୁଳିବିଦ୍ଧ ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ଶହୀଦ ହେବାର ଖବର ରାୟଗଡ଼ାରେ ପହଞ୍ଚିବା ପରେ ପରିବାର, ବନ୍ଧୁବାନ୍ଧବ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

୨୦୨୨ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ତେଜା। ଦୁଇ ବର୍ଷ ତଳେ ସେ ଅଙ୍ଗଦାନ ପାଇଁ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ। ତାଙ୍କ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ତାଙ୍କର ବିଭିନ୍ନ ଅଙ୍ଗ ସ୍ଥାନୀୟ ଡାକ୍ତରଖାନାରେ ସଂଗ୍ରହ କରାଯାଇ ସଂରକ୍ଷିତ ରଖାଯାଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି। ଏହା ମାଧ୍ୟମରେ ତେଜା ଅନ୍ୟମାନଙ୍କ ଜୀବନରେ ଆଶାର ଆଲୋକ ଦେଇଯାଇଛନ୍ତି।

ତେଜାଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଅଣାଯିବ। ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମରଶରୀରକୁ ରାୟଗଡ଼ା ଅଣାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ବିବାହ ପାଇଁ ଘରକୁ ଫେରିବାର ଅପେକ୍ଷାରେ ଥିବା ତେଜା ଆଉ ଫେରିବେ ନାହିଁ। ଦେଶସେବାରେ ନିଜ ଜୀବନ ଉତ୍ସର୍ଗ କରିଥିବା ଏହି ଯବାନଙ୍କ ଶହୀଦତ୍ୱ ରାୟଗଡ଼ାବାସୀଙ୍କ ମନରେ ଚିରସ୍ମରଣୀୟ ହୋଇ ରହିବ।

Comments (0)
Add Comment