କୋଦଳା,୧୧/୦୬(ପିପିଟି):ସ୍ବାମୀ ସୁରଟରେ ପହଞ୍ଚୁ ପହଞ୍ଚୁ ଏପଟେ ଗାଁ ରେ ଝୁଲି ପଡିଲେ ନବବଧୂ। ବିବାହର ମାତ୍ର ୧ ବର୍ଷ ପରେ ଜଣେ ମହିଳା ନିଜ ବେକରେ ରଶି ଲଗାଇ ଦେଲେ ।ହସ ଖୁସିରେ ସଂସାର ଗଢିବା ଆଗରୁ ଜୀବନ ହାରିଲେ ନବବଧୂ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାସି ଗାଁ ରେ। ଗାଁ ର ଜଗନ୍ନାଥ ସାହିରେ ଜଣେ ନବବଧୂ ଆଜି ବେକରେ ରଶି ଲଗାଇ ଜୀବନ ହାରିଛନ୍ତି ଯଶୋଦା ପାଣିଗ୍ରାହୀ ନାମକ ଜଣେ ମହିଳା। ମହିଳାଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗତ ୨ ଦିନ ତଳେ ମହିଳାଙ୍କ ସ୍ବାମୀ ରୋଜଗାର ପାଇଁ ସୁରଟ ଯାଇଥିଲେ। ଆଜି ସକାଳୁ ସେ ସୁରଟରେ ପହଞ୍ଚିଥିବା ବେଳେ ଏପଟେ ସ୍ତ୍ରୀ ଜୀବନ ହାରିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘରେ କୌଣସି କଳହ, ପାଟିତୁଣ୍ଡ ହୋଇ ନଥିବା ମହିଳାଙ୍କ ଶାଶୁ କହିଛନ୍ତି। ତେବେ କେଉଁ କାରଣରୁ ମହିଳା ଜଣକ ଏପରି ନିଷ୍ପତ୍ତି ନେଲେ ତାକୁ ନେଇ ଆଲୋଚନା ହେଉଛି। ବୁଗୁଡା ଅଞ୍ଚଳର ଯଶୋଦା ପାଣିଗ୍ରାହୀ ନାମକ ୨୦ ବର୍ଷୀୟ ଜଣେ ମହିଳା କୋଦଳା ଥାନା ଫାସି ଗ୍ରାମର ଜିତେନ୍ଦ୍ର ପାଣିଗ୍ରାହୀଙ୍କୁ ଗତ ୧ ବର୍ଷ ତଳେ ବିବାହ କରିଥିଲେ। ହସଖୁସିରେ ସଂସାର ଗଢିବାକୁ ସ୍ବପ୍ନ ଦେଖିଥିବା ଯଶୋଦା କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ। ସେପଟେ କୋଦଳା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ