ମାଲକାନଗିରି,୨୯/୧୦(ପିପିଟି):
ଆଜି ସକାଳେ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ ପୋଲିସ ବିଭାଗ ର ଅଧିକାରୀମାନେ ମାଲକାନଗିରି ମାଲକାନଗିରି ସଦର ମହକୁମା ସ୍ଥିତ ଏମଭି- ୩ ବିଏସଏଫ କ୍ଯାମ୍ପରେ ଅବତରଣ କରିଥିଲେ। ମାଲକାନଗିରି ଗସ୍ତରେ ରାଜ୍ୟ ପୋଲିସର ଏଡିଜି ସଞ୍ଜିବ ପଣ୍ଡାଙ୍କ ସହିତ ଆଇ.ଜି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ଡି.କେ. ଶର୍ମା, ଗୁଇନ୍ଦା ଡିଆଇଜି ଅନିରୁଦ୍ଧ ସିଂ, ଡିଆଇଜି କୋରାପୁଟ ରାଜେଶ ପଣ୍ଡିତ ଓ ବି.ଏସ.ଏଫ ଡିଆଇଜି ଧିରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ମାଓ ମୁକାବିଲା ସହ ଲାଲ୍ ଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ କରାଯାଇଥିଲା । ବି.ଏସ.ଏଫ ଓ ଓଡିଶା ପୋଲିସର ମିଳିତ ଉଦ୍ୟମରେ ମାଲକାନଗିରି ଜିଲ୍ଲାରୁ କିପରି ନକ୍ସଲ ମୂଳପୋଛ ହୋଇ ପାରିବ ମତବ୍ୟକ୍ତ କରିଥିଲେ । ଏହାପରେ ଗତକାଲି ଆନ୍ଧ୍ର ଓଡିଶା ସୀମାନ୍ତରୁ ମିଳିଥିଲା ମାଓବାଦୀଙ୍କ ଏକ ବଡ଼ ଡମ୍ପକୁ ଦେଖିଥିଲେ ପୋଲିସ ବିଭାଗର ଏହି ବରିଷ୍ଠ ଅଧିକାରୀମାନେ ।ପ୍ରକାଶ ଥାଉ କି,ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଜୋଡାମ୍ବ ଥାନା ଅନ୍ତର୍ଗତ କୁସୁମପୁଟ ଜଙ୍ଗଲ ଭିତରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।ଏହାପରେ ଏସ.ଓ.ଜି ଓ ବି.ଏସ.ଏଫ ବାହିନୀ ପକ୍ଷରୁ ସେଠାରେ ମିଳିତ ଭାବେ କୁମ୍ବିଂ ଅପରେସନ କରାଯାଇଥିଲା ।ମାଓ ଶିବିରରୁ ୮ଟି ବନ୍ଧୁକ, ଦୁଇଟି ଲ୍ୟାଣ୍ଡ ମାଇନ, ୨୦ଟି ଡିଟୋନିଟର, ଗୋଟିଓ ଲ୍ୟାପଟପ ଓ ପ୍ରିଣ୍ଟର, ବିଦ୍ୟୁତ ତାର,ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଯବାନ ମାନେ ଜବତ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)