ବାଲିଆପାଳ,୧୭/୦୯:ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ଉପର ମୁଣ୍ଡରେ ଥିବା ଗାଲୁଡିହ ବ୍ୟାରେଜରୁ ଗେଟ ଖୋଲାଯିବା ସହ ବନ୍ୟାଜଳ ନିଷ୍କାସନ ହେବା ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ସଂନ୍ଦ୍ୟାରୁ ଏହି ବନ୍ୟା ଜଳ କୂଳ ଲଂଘି ବାଲିଆପାଳ ବ୍ଲକରେ ପ୍ରବେଶ କରିଛି ।ଆଜି ସନ୍ଦ୍ୟା ୬ଟା ସୁଦ୍ଧା ରାଜଘାଟ ଠାରେ ଏହି ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଉପରେ ୧୦.୮୭ ମିଟର ରେ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ତଳ ମୁଣ୍ଡରେ ଥିବା ବାଲିଆପାଳ ବ୍ଲକର ନିଖିରା, ଅସ୍ତି, ବାଲିଆପାଳ, ବିଷ୍ନୁପୁର, ଜାମକୁଣ୍ଡା, ମଧୁପୁରା ପ୍ରଭୃତି ପଂଚାୟତ ଜଳମଗ୍ନ ହୋଇଛି । ଚଡପାଳ ପଡା, ତଳ ଧାନଦା,ଚଡବଢାପାଳ ,ପାଳଚମ୍ପେଇ, ଛୋଟଖାନପୁର,ସୂର୍ଯ୍ୟାପୁର,ରାଉତୁରାପୁର, କୁଦମାନସିଂ, କୁଦମାନସିଂ ଚଡ,ମନୁନଗର, ସୁଙ୍ଘମୁହଁ ,ତଳବାଲିଆପାଳ, ରାମନଗର- ରସଲପୁର,ବିଷ୍ନୁପୁର ଚଡସାହି ନୟାବାଲି,ଇକଡପାଳ,ଚଉଧୁରିକୁଦ,ଚଡବସ୍ତ,କାଳରୁହି,ତାଳପଦା,କୁହ୍ଲାଚଡ,ନଖପାଳ, ପ୍ରଭୃତି ଗ୍ରାମ ପାଣି ଘେରରେ ରହିଛି । ପାଳପଡା-ଚଡ ପାଳପଡା,ପାରୁଳିଆ-ପାଳ ଚମ୍ପେଇ, ପଂଚୁରୁଖି-ଚଉଧୁରିକୁଦ,ଜାମକୁଣ୍ଡା- ତାଳପଦା,ଜାମକୁଣ୍ଡା କୁହ୍ଲାଚଡ, ଜାମକୁଣ୍ଡା- ନୟାବାଲି, ପ୍ରଭୃତି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବାଲେଶ୍ୱର ଜିଲ୍ଲାପାଳ ସୁ୍ର୍ଯ୍ୟବଂଶୀ ମୟୂର ବିକାଶ ବିଭିନ୍ନ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହ ଜାମକୁଣ୍ଡା ଲକ ଠାରେ ବର୍ଷାରେ ଧୋଇଯାଇଥିବା ସୁଇଚ ଗେଟ ମରାମତି କାର୍ଯ୍ୟର ତଦାରଖ କରିବା ସହ ତହସିଲଦାର ଜନକ କୁମାର ନାୟକ , ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ବିଭାଗୀୟ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଶାସନ ପକ୍ଷରୁ ବନ୍ୟାର ମୁକାବିଲା ପାଇଁ ସଜାଗ ରହିଥିବା କହିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୨ ଟି ଓଡ୍ରାଫ ଏବଂ ଗୋଟିଏ ଏନଡିଆରଏଫ ଟିମ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଘରେ ପାଣି ପଶିଯିବା ସମ୍ଭାବନା ଥିବା ଲୋକ ମାନଙ୍କୁ ଉଦ୍ଧାର କରି ସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଚୌଧୁରୀକୁଦ ଏବଂ ଚରବସ୍ତ ଗ୍ରାମକୁ ପାୱାରବୋଟ ବ୍ୟବସ୍ଥା କରାଯାଇଥିବା ବେଳେ ବହୁ ସ୍ଥାନରେ ଲୋକେ ପାଣିରେ ପଶି ଯାତାୟତ କରୁଥିବା ଦେଖିବାକୁ ମିଳିଛି ।ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ ଯୋଗଇଦେବାକୁ ପ୍ରଭାବିତ ଲୋକମାନେ ଦାବି କରିଛନ୍ତି । ତେବେ ବନ୍ୟା ଯୋଗୁଁ ପନିପରିବା ଚାଷ ବ୍ୟାପକ କ୍ଷତି ହେବା ଆଶଙ୍କାଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।