ବିପଦର ବନ୍ଧୁ ଓଡିଶାର ୭ମ ସ୍ଵନକ୍ଷତ୍ର ଉତ୍ସବ; ବହୁ ସ୍ୱେଚ୍ଛାସେବୀଙ୍କୁ ମିଳିଲା ସେବା ସମ୍ମାନ ।

ଭଞ୍ଜନଗର, ୨୬/୯(ପିପିଟି) : ଉତ୍ତମ ସେବା ଯୋଗାଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓଡ଼ିଶାର ୭ମ ରାଜ୍ୟ ସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ଟାଉନ ହଲରେ ଅନୁଷ୍ଟିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପଦର ବନ୍ଧୁ ଓଡିଶା ରାଜ୍ୟରେ କିଭଳି ମାନବ ସେବା କାର୍ଯ୍ୟ ଜାରି ରଖିଛି ସେ ନେଇ କହିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ,ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି, ଭଞ୍ଜନଗର ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ଭଞ୍ଜନଗର ମେଡ଼ିକାଲ ଅଧୀକ୍ଷକ ଡ. ସୀତାଂଶୁ ଶେଖର ଶତପଥି,ଅଗ୍ନିଶମ ବିଭାଗ ଅଧିକାରୀ ସମୀର କୁମାର ବିଶ୍ବାଳ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଲେଖକ ପ୍ରଶାନ୍ତ ମହାନ୍ତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରତିଷ୍ଠାତା ଜି. ଶିବରାମ ପାତ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ କୃଷ୍ଣ ଚନ୍ଦ୍ର ସୁଆଁଶିଆ ବାର୍ଷିକ ବିବରଣୀ ପଠନ କରିଥିଲେ। ମୁଖପାତ୍ର ଚିନ୍ମୟ ପୋଲେଇ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ବାଦଲ ତ୍ରିପାଠୀ,ପ୍ରଦୀପ ଜେନା, ଅରକ୍ଷିତ ପରିଛା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସମାଜ ସେବାକୁ ସେମାନେ ନିଜର ନିଶା ନୁହେଁ ପେସା ବୋଲି ଭାବିନେଇ ଜୀବନକୁ ଅନ୍ୟମାନଙ୍କ ପାଇଁ ସମର୍ପଣ କରିଦେଇଛନ୍ତି ବୋଲି ସଙ୍ଗଠନର ଉପସଭାପତି ଅରକ୍ଷିତ ପରିଛା କହିଛନ୍ତି।ବିପଦର ବନ୍ଧୁ ଓଡିଶା ଗଠନ ସୃଷ୍ଟି ହେବା ପରେ ଗଞ୍ଜାମ ଜିଲ୍ଲାରେ ରକ୍ତର ଅଭାବ ସମସ୍ୟା ପ୍ରାୟ ଦୂର ହୋଇଛି। ରାଜ୍ୟରେ ଅନ୍ୟ ଅଞ୍ଚଳର ଲୋକ ମଧ୍ୟ କିଭଳି ସୁବିଧାରେ ରକ୍ତ ପାଇବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ଅର୍ଥ ଅଭାବରୁ ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ଛାତ୍ରୀ ଛାତ୍ର ମାନକୁ ପାଠ ପଢିବା ବ୍ୟବସ୍ଥା, କୋଭିଡ ସମୟରେ ବିପଦର ବନ୍ଧୁ କର୍ମକର୍ତ୍ତା ଭଞ୍ଜନଗରର ସଭ୍ୟ ମାନେ ଜୀବନକୁ ବାଜି ଲଗାଇ ୩୪ ଜଣଙ୍କ ଶବକୁ ସତ୍କାର,ମାନସିକ ବିକୃତ ବ୍ୟକ୍ତିଙ୍କ ଥଇଥାନ, ଗରିବ ଲୋକଙ୍କୁ ସାହାଯ୍ୟ ଭଳି ବହୁ ସେବା କାର୍ଯ୍ୟ କରି ଆସୁଛନ୍ତି। ଏହି ଅବସରରେ ଅତିଥି ମାନେ ଶିବ ଶଙ୍କର ପ୍ରଧାନ ଙ୍କ ଦ୍ଵାରା ଲିଖିତ ସ୍ମରଣିକାକୁ ଉନ୍ମୋଚିତ କରିଥିଲେ।ସେବା କାର୍ଯ୍ୟ ସକାଶେ ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ସଙ୍ଗଠନ କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିପଦର ବନ୍ଧୁ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Comments (0)
Add Comment