ବିନା ଟେଣ୍ଡରରେ କ୍ବର୍ଟର ନିର୍ମାଣ, ସରକାରଙ୍କ ରାଜସ୍ବ ହାନି ।

ମାଲକାନଗିରି,୦୮/୦୧(ପିପିଟି): କାଲିମେଳା ବ୍ଲକରେ ବିନା ଟେଣ୍ଡର ଆହ୍ବାନରେ କାମ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ଘଟୁଥିବା ଅଭିଯୋଗ ହେଉଛି । ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ଉନ୍ନୟନ ମୂଳକ କାମ ବିନା ଟେଣ୍ଡରରେ କରାଯାଉଛି । ସେଥିମଧ୍ୟରୁ କାଲିମେଳା ବ୍ଲକ କାର୍ଯ୍ୟାଳୟ ନିକଟରେ ଦୁଇ ମହଲା ବିଶିଷ୍ଟ ଏକ ଷ୍ଟାଫ୍ କ୍ବାଟର କୋଠା ନିର୍ମାଣ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ଟଙ୍କା ହେବ । ସରକାରଙ୍କ ନିୟମ ଅନୁସାରେ ଯେ କୌଣସି କାମର ଅଟକଳ ମୂଲ୍ୟ ୫ ଲକ୍ଷ କିମ୍ବା ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥାଏ ସେହି କାମକୁ ଟେଣ୍ଡର ଆହ୍ବାନ କରାଯାଇଥାଏ । କିନ୍ତୁ ଏଠାରେ ଖୋଲାଖୋଲି ନିୟମକୁ ଉଲ୍ଲଙ୍ଘନ କରାଯାଇଛି । ଅନ୍ଯପକ୍ଷରେ ଯଦି ଟେଣ୍ଡର ଆହ୍ବାନ କରାଯାଏ ତେବେ ନିଜେ ଚାହୁଁ ଥିବା ଠିକାଦାରଙ୍କୁ କାମ ଯୋଗାଇ ହେବନାହିଁ । ସେଥିପାଇଁ ନାମକୁ ମାତ୍ର ଡିପାର୍ଟମେଣ୍ଟାଲି କାମ କରି ନିଜେ ଚାହୁଁ ଥିବା ଠିକାଦାରଙ୍କୁ ଏହି କାମ ଯୋଗାଇ ଦିଆଯାଉଛି । ପରବର୍ତ୍ତୀ ସମୟରେ ସଂପୃକ୍ତ ଠିକାଦାରଙ୍କ ଠାରୁ ପିସି କିମ୍ବା ଉପହାର ସ୍ବରୂପ ନିଆଯାଉଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି । ତେଣୁ ବ୍ଲକ ପ୍ରଶାସନର ଠିକାଦାର ପ୍ରୀତି ଯୋଗୁଁ ସରକାର ରାଜସ୍ବ ହରାଉଛି।କାଲିମେଳା ବ୍ଲକରେ ଏପରି ବେନିୟମ ଭାବେ ଅନେକ କାମ ଚାଲିଥିବାରୁ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି। ଏସବୁ କାମ ଗୁଡିକର ଟେଣ୍ଡର ଆହ୍ବାନ କରାଯାଇଥିଲେ ପେପର କଷ୍ଟ ଏବଂ ଲେସ ଏମାଉଣ୍ଟ ବାବଦକୁ ସରକାରଙ୍କ ରାଜସ୍ବ ଆଦାୟ ହେବା ସହ ଏହି ରାଜସ୍ବ ଟଙ୍କାରେ ପୁଣି ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ହୋଇପାରିଥାନ୍ତା । ତେବେ ଟେଣ୍ଡର ଆହ୍ବାନ ନ କରି ସରକାରଙ୍କ ରାଜସ୍ବ ଆଦାୟକୁ ଫାଙ୍କି ଦିଆଯାଇଥିବା ଜଣାପଡିଛି ।ଏଥି ପ୍ରତି ମାଲକାନଗିରି ଜିଲ୍ଲା ପାଳ ହସ୍ତକ୍ଷେପ କରି ବିଧି ବ୍ଯବସ୍ଥାକୁ ସଠିକ୍ ଦିଗରେ ପରିଚାଳନା କରିବା କୁ ସାଧାରଣରେ ଦାବି ହୋଇଛି।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment