କୋଦଳା,୨୪/୦୫(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଲିମେଘି ଗ୍ରାମ ପଞ୍ଚାୟତ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କ ସ୍ୱାମୀ ତଥା ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀଙ୍କ ପ୍ରଚେଷ୍ଟା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ହସ୍ତକ୍ଷପ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହାୟତାରେ ନିଜ ଜନ୍ମ ମାଟିକୁ ଫେରିଲା ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ । ଗତ ୨୨ ତାରିଖ ଦିନ ଚେନ୍ନାଇ ଠାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଜାଗିଲିପଦର ଲୁହାକୋଟ ଗ୍ରାମର ସାଗର ନାହାକ ମୃତ୍ୟୁ ବରଣ କରିଥିଲେ । ସାଗର ଚେନ୍ନାଇରେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଥିଲା ।ଚେନ୍ନାଇରୁ କେମିତି ମୃତଦେହ ଫେରାଇ ଆଣିବେ ପରିବାର ଲୋକ ଚିନ୍ତାରେ ପଡିଥିଲେ । ସେହିଦିନ ରାତ୍ର ଆଠ ଘଣ୍ଟ ସମୟରେ ପରିବାର ଲୋକ କାଳିମେଘି ପଞ୍ଚାୟତର ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କୁ ଜଣାଇବା ପରେ ସରପଞ୍ଚଙ୍କ ସ୍ୱାମୀ ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ ମରଶରୀର ଫେରାଇ ଆଣିବା ପାଇଁ ବିଧାୟିକା ଲତିକା ପ୍ରଧାନଙ୍କ ସହିତ ଯୋଗାଯୋଗ କରିଥିଲେ, ବିଧାୟିକା ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଶ୍ଵାମିତ୍ରଙ୍କୁ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ । ସମସ୍ତ ବିଷୟ ଶୁଣିବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସାଗର ନାହାକଙ୍କ ମରଶରୀର ଜନ୍ମମାଟିକୁ ଫେରିବା ତତକ୍ଷଣାତ କାର୍ଯ୍ୟରେ ଲାଗିଥିଲେ । ଏ ସମସ୍ତଙ୍କ ପ୍ରଚେଷ୍ଟା ତଥା ଗ୍ରାମବାସୀ ଓ ପରିବାର ସଦସ୍ୟଙ୍କ ପ୍ରାର୍ଥନା ରେ ଆଜି ସାଗରଙ୍କ ମୃତଦେହ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମ ମାଟି ଜାଗିଲିପଦର ଲୋହାକୋଟ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସରପଞ୍ଚ,ଗ୍ରାମବାସୀ ଓ ପରିବାର ବର୍ଗ ଉପସ୍ଥିତିରେ ଗ୍ରାମ ସ୍ମଶାନରେ ସାଗରଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି । ଏନେଇ ଗ୍ରାମବାସୀ ଗଂଜାମ ଜିଲ୍ଲାପାଳ, ବିଧାୟିକା, ସମାଜସେବୀ ଓ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )