ବିଧାୟକଙ୍କ ନିଜସ୍ୱ ଗ୍ରାମ ରାସ୍ତା ୪ବର୍ଷ ହେଲା ନିର୍ମାଣ ସରୁନି , ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ।

ବାଲିଗୁଡା, ୦୧/୦୬:(ପିପିଟି): ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ମରଣଯନ୍ତା ପାଲଟିଥିବା ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବିଗତ ୪ ବର୍ଷ ହେବ କଇଁଝର-ଗୁଟିଙ୍ଗିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ବେଳେ ଏବେ ଠିକାଦାରଙ୍କ ଲାଭ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ପରିତାପର ବିଷୟ ହେଉଛି, ଏହି ରାସ୍ତାଟି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନିଜ ଗାଁର ରାସ୍ତା ହୋଇଥିଲେ ମଧ୍ୟ ଏହାର କାମ ଅଧପନ୍ତରିଆ ହୋଇ ପଡ଼ିରହିଛି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୯ ମସିହାରେ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା। ମାତ୍ର କୋଭିଡ୍ ମହାମାରୀ ସମୟରେ ତତ୍କାଳୀନ ଠିକାଦାରଙ୍କ ମୃତ୍ୟୁ ଘଟିବା ପରେ କାମଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେହି ସମୟରେ ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାକୁ ମୁକୁଳା କରି ଛାଡ଼ି ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ କଇଁଝର ଠାରୁ ଦାଣ୍ଡିଙ୍ଗପାଙ୍ଗା ପର୍ଯ୍ୟନ୍ତ ମାତ୍ର ୩ କିଲୋମିଟର ଏବଂ ସେପଟେ ବିରଙ୍ଗୀ ଠାରେ ଅଧା କିଲୋମିଟର ରାସ୍ତାରେ କେବଳ ଥରେ ମାତ୍ର ପିଚୁ ପଡ଼ିଥିଲା। ଏହାପରେ ଆଉ କାମ ଆଗକୁ ବଢ଼ିନାହିଁ।ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବସ୍ଥା ସାଙ୍ଘାତିକ ହୋଇପଡ଼ିଛି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ଓ ମୃତ୍ୟୁ ବରଣ କରୁଛନ୍ତି। ଏହା ସତ୍ତ୍ୱେ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ନିରବଦ୍ରଷ୍ଟା ସାଜିଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ମାତ୍ର ନୂତନ ଠିକାଦାର ଅଧିକ ମୂଲ୍ୟରେ (ଏକ୍ସେସ ରେଟ )ଟେଣ୍ଡର ପାଇଥିବାରୁ, ଏହାର ଚୂଡ଼ାନ୍ତ ଅନୁମୋଦନ ପାଇଁ ଫାଇଲ୍ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀଙ୍କ ପାଖକୁ ପଠାଯାଇଛି। ସେଠାରୁ ମଞ୍ଜୁରୀ ମିଳିବା ପରେ ହିଁ କାର୍ଯ୍ୟ ଆରମ୍ଭ ହେବ। ତେବେ ସରକାରୀ କାଗଜପତ୍ର ଓ ଠିକାଦାରଙ୍କ ଲାଭ-କ୍ଷତିର ଅଙ୍କକଷା ଭିତରେ ସାଧାରଣ ଜନତା କାହିଁକି ବଳିପଡ଼ିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ, ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଗାଁର ଏହି ସମସ୍ୟାକୁ ନେଇ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ବିଷୟରେ ଅନେକ ଥର ତାଗିଦ୍ କରିବା ସହ ତୁରନ୍ତ କାମ ସାରିବାକୁ କହିଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷା ଦିନ ପାଖେଇ ଆସୁଥିବାରୁ ଯଦି ତୁରନ୍ତ ଏହି ରାସ୍ତା ମରାମତି ବା ନିର୍ମାଣ କାର୍ଯ୍ୟ କରା ନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment