ଭୁବନେଶ୍ୱର,୦୫/୦୩(ପିପିଟି):ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁବାବୁ ଜଣେ କିମ୍ବଦନ୍ତୀ ପୁରୁଷ । ସ୍ୱତନ୍ତ୍ରତା ଓ ସଫଳତାପୂର୍ଣ୍ଣ ବୈପ୍ଳବିକ ଜୀବନଶୈଳୀ ଦ୍ୱାରା ଉତ୍କଳ ଜନନୀର ‘ବୀରପ୍ରସବିନୀ’ ନାମକୁ ସେ ଯଥାର୍ଥରେ ପ୍ରତିପାଦିତ କରିପାରିଛନ୍ତି । ଜାତିର ମୁକ୍ତିଦାତା ସାଜି ଧରାପୃଷ୍ଠରେ ଅବତରଣ କରିଥିବା ଏହି ଯଶସ୍ୱୀ ଯୋଗଜନ୍ମା । ତାଙ୍କ ଜୀବଦ୍ଦଶାରେ ସେବା, ତ୍ୟାଗ, ପରୋପକାର ଓ ନିଷ୍ଠା ପରି ମାନବୀୟ ଗୁଣଗୁଡ଼ିକ ସେ ଆପଣାର କରିପାରିଥିଲେ । ଅପର ପକ୍ଷରେ ତାଙ୍କ ଭିତରେ ଦୁଃସାହସିକତା ତଥା ନିର୍ଭୀକତା ପରି ତେଜୋଦୀପ୍ତ ଗୁଣାବଳୀର ସମାହାର ସହଜାତ ଥିଲା । ଏହି ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ,ଲୋକପି୍ରୟ ରାଜନୀତିଜ୍ଞ ଓ ସମାଜସେବକ ଭାବରେ ନିଜ ଭୂମିକାର ସଫଳ ସଂପାଦନ କରିବା ସହିତ ସୁପ୍ତ ଓଡ଼ିଆ ମନରେ ଜାତିପ୍ରେମର ବହ୍ନି ପ୍ରଜ୍ୱଳନ କରିବାରେ ସକ୍ଷମ ହୋଇପାରିଥିଲେ । ନିଜ ସମୟର ଓଡ଼ିଶାକୁ ଅତୀତର କଳିଙ୍ଗ ଓ ନିଜକୁ ଖାରବେଳଙ୍କ ଦାୟାଦ ରୂପେ ପରିଚୟ ପ୍ରଦାନ କରି ଏକ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ସେ ସର୍ବଦା ଚେଷ୍ଟାରତ ଥିଲେ । ବାସ୍ତବରେ ଓଡ଼ିଆ ଜାତିର ଦୁଃଖଦୁର୍ଦ୍ଦଶା ସେ ସହ୍ୟ କରିପାରୁ ନଥିଲେ । ମାଟିର ମୂର୍ତ୍ତିକାର ଓ ଝଡ଼ର ଇଗଲ ଏହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ଆଦର୍ଶ ପୁରୁଷଙ୍କ ଜୀବନୀ ଏକ ଇତିହାସ ସଦୃଶ ।
ଆଜି ବିଧାନସଭା ପରିସରରେ ପ୍ରବାଦପୁରୁଷ ମହାନ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂ, ପ୍ରମିଳା ମଲ୍ଲିକ, ଭାସ୍କର ଚନ୍ଦ୍ର ମଢ଼େଇ,ସରୋଜ ପାଢ଼ୀ, ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ପ୍ରିୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା । ସୁଶ୍ରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।