ମାଲକାନଗିରି,୦୨/୦୭(ପିପିଟି): ଗତ କାଲି ଖଇରପୁଟର ଟିଲୁ ସାହିରେ ୩ ଜଣ ଶିଶୁ ଜେସିବି ଗାଡି ଉପରେ ଠିଆ ହୋଇ ଖେଳୁଥିବା ବେଳେ ଅଚାନକ ଗାଡି ଉପରେ ବିଦ୍ଯୁତ ତାର ଛିଣ୍ଡି ଖସି ପଡିବାକୁ ୩ ଜଣ ଶିଶୁ ବିଦ୍ଯୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ତନ୍ମଧ୍ଯରୁ ଜଣେ ଶିଶୁର ମୃତ୍ୟୁ ଘଟିଥିବା
ଜଣାପଡିଛି । ମାଲକାନଗିରି ଜିଲ୍ଲା ଖଇରପୁଟ ଗ୍ରାମର ଟିଲୁ ସାହିରେ ଘଟିଛି ଏକ ଅଘଟଣ । ଟିଲୁସାହି ନିବାସୀ ନରେନ୍ଦ୍ର ରାଜୁ ଗତ ୨ ମାସ ପୂର୍ବେ ମାଛ ଚାଷ ପାଇଁ ଏକ ପୋଖରୀ ଖନନ କରିଥିଲେ । ଖନନ କାର୍ଯ୍ୟରେ ବ୍ୟବହୃତ ଜେସିବିଟି ଦୀର୍ଘ ଦିନ ହେଲା ସାହିରେ ପଡିରହିଥିଲା । ଗତକାଲି ସକାଳେ ବର୍ଷା ହୋଇ ଛାଡିଯିବା ପରେ ସାହିର ତିନି ଜଣ ନାବାଳକ ଜେସିବି ଉପରେ ଖେଳରେ ମାତିଥିଲେ । ହଠାତ ଜେସିବି ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବିଜୁଳି ସଂସ୍ପର୍ଶରେ ଆସି ତିନି ଶିଶୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତଳକୁ ଛିଟିକି ପଡ଼ିଥିଲେ । ନିକଟରେ ଛେଳି ଚରାଉଥିବା ଝିଅଟି ପିଲାଙ୍କ ଗୁରୁତର ଅବସ୍ଥା ଦେଖୁ ଭୟରେ ଦୌଡ଼ି ଗାଁ ଲୋକଙ୍କୁ ଖବର ଦେଇଥିଲା । ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ତିନି ଶିଶୁଙ୍କୁ ଉଦ୍ଧାର କରି ଖଇରପୁଟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତିନି ଗୁରୁତର ଶିଶୁଙ୍କୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ପଠାଇଥିଲେ । ଖବର ଅନୁଯାୟୀ ରାତି ୨ ଟା ସମୟରେ ତିନି ଶିଶୁ ମଧ୍ୟରୁ ଜଣେ ଶିଶୁ ମୃତ୍ୟୁ ବରଣ କରିଥିଲା । ବର୍ତ୍ତମାନ ଅନ୍ୟ ୨ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁହେଁ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ଏ ବାବଦରେ ସ୍ଥାନୀୟ ବାସିନ୍ଦା ଚିକିତ୍ସାରେ ସହାୟତା ପାଇଁ ଜେସିବି ମାଲିକ ଓ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ସାହାଯ୍ୟ କରିବା ବଦଳରେ ନାଲିଆଖୁ ଦେଖାଇ ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ଏହି ତିନି ନାବାଳକ ଶିଶୁମାନେ ହେଲେ ଦଶରଥ ଭୂମିଆ ୧୫ ବର୍ଷ , ହରି ମୁଦୁଲି ୧୩ ବର୍ଷ ଏବଂ ମୃତ ନାବାଳକ ଗୋକୁଳ ପାତ୍ର ୧୪ବର୍ଷ ବୋଲି ଜଣାପଡିଛି । ଗୁରୁତର ଶିଶୁମାନଙ୍କ ଉତ୍ତମ ଚିକିତ୍ସା ଲାଗି ସରକାରି ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)