ପୋଲସରା ,୨୬/୦୫(ପିପିଟି) :ପୋଲସରା ବ୍ଲକ ଓ ଥାନା ଅଧିନସ୍ଥ ରୁମାଗଡ଼ ଗ୍ରାମପଂଚାୟତର ରୁମାଗଡ଼ ଗ୍ରାମ ପାଟଣା ସାହିର ବାସିନ୍ଦା ଧନୁ ସାହୁଙ୍କ ପୁଅ କିଶୋର ଚନ୍ଦ୍ର ସାହୁ(37) ଆଜି ସାବିତ୍ରୀ ଅମାବାସ୍ୟା ଦିବସରେ ଘରେ କାମ କରୁଥିବାବେଳେ କୌଣସି କାରଣରୁ ବିଦ୍ୟୁତ ଆଘାତରେ ମୃତୁବରଣ କରିଛନ୍ତି। ସେ ଦିନ ମଜୁରିଆ ଭାବେ କାମକରି ପରିବାର ଚଳାଉ ଥିଲେ। ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଥିଲେ। ତାଙ୍କର ପରିବାରରେ ସ୍ତ୍ରୀଙ୍କ ସମେତ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଘଟଣା ଘଟିବା ପରେ ପରିବାର ତରଫରୁ ଗ୍ରାମ ବାସୀଙ୍କ ସହଯୋଗରେ କିଶୋରଙ୍କୁ ପୋଲସରା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଡ଼ାକ୍ତରଙ୍କୁ ଦେଖାଇଥିଲେ। ଡ଼ାକ୍ତର ପରୀକ୍ଷା କରି କିଶୋରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ପୋଲସରା ଥାନା ପୋଲିସ ଟିମ୍ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ୧୧/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ଶବକୁ ପଠାଇ ଦେଇଛି ଏଵଂ ଘଟଣାର ତଦନ୍ତ ଜାରିରଖିଛି। ଏହି ଘଟଣାକୁ ନେଇ ରୁମାଗଡ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବାବେଳେ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ତଥା ବିଶିଷ୍ଠ ସମାଜସେବୀ ପ୍ରଭାକର ପଣ୍ଡା, ସମିତି ସଭ୍ୟା ଲକ୍ଷ୍ମୀବାଇ ପଣ୍ଡା, ସରପଞ୍ଚ ଜିତୁ ବିଷୋୟୀ ଓ ଆଇନଜୀବୀ କାହୁଁ ଚରଣ ସାହୁ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ଗରିବଶ୍ରେଣୀ ପରିବାରକୁ ସରକାରୀ ସହାୟତା ଶୀଘ୍ର ଯୋଗାଇଦେବାକୁ ଗ୍ରାମବାସୀଙ୍କ ସହିତ ଦାବି କରିଛନ୍ତି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା