ବିଦ୍ୟୁତ ଆଘାତରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର ।

ନାକଟିଦେଉଳ,୨୭/୦୫: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବାଟଗାଁ ଉଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନିତା ପୁରୋହିତ (୫୨ )ଙ୍କ ମଙ୍ଗଳବାର ସକାଳୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣା ପଡିଛି । ନାକଟିଦେଉଳ ଥାନା ବାଟଗାଁ ଗ୍ରା. ପ. ଅନ୍ତର୍ଗତ ଭାଲୁଗାଡ଼ିଆ ଗ୍ରାମର ସନ୍ତୋଷ ଶତପଥୀଙ୍କ ସ୍ତ୍ରୀ ଗତ ୪ ବର୍ଷ ହେଲା ବାଟଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିଲେ । ତେବେ ମଙ୍ଗଳବାର ସକାଳ ପ୍ରାୟ ୬ ଟା ସମୟରେ ନିଜ ଘର ବାଡ଼ିରେ ଥିବା କୂଅରୁ ପାଣି ଉଠାଇବା ପାଇଁ ମୋଟର ପମ୍ପ ଲଗାଉ ଥିବା ବେଳେ ବିଦ୍ୟୁତ ତାରରେ ହାତ ଲାଗି ଯିବାରୁ ସଂସ୍ପର୍ଶ ରେ ଆସି ତଳେ ଲୋଟି ପଡ଼ିଥିଲେ । ଅନ୍ୟ ପକ୍ଷରେ ସ୍ତ୍ରୀ ତଳେ ପଡ଼ିଥିବା ଦେଖି ସ୍ୱାମୀ ସନ୍ତୋଷ ଶତପଥୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଝଟକା ଖାଇ ପାଟି କରିବାରୁ ପାଖରେ ଥିବା ଦୁଇ ଜଣ ଯୁବକ ଆସି ଏକ କାଠ ବାଡ଼ି ଦ୍ୱାରା ବିଦ୍ୟୁତ ତାରକୁ ପିଟି ଅଲଗା କରିଥିଲେ । ତେବେ ଏହି ଘଟଣାରେ ସ୍ୱାମୀ ସନ୍ତୋଷଙ୍କ ଡାହାଣ ହାତ ପାପୁଲି ରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ସଙ୍ଗେ ସଙ୍ଗେ ଉଭୟଙ୍କୁ ନାକଟିଦେଉଳ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଅନିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ନାକଟିଦେଉଳ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ କେସ ନଂ ୬/୨୫ ରେ ଏକ ଅପମୃତ୍ୟୁ ମାମଲା ୠଜୁକରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣା ପଡିଛି । ତାଙ୍କର ଦୁଇଟି ପୁଅ ଓ ଝିଅ ମଧ୍ୟରୁ ପୁଅ ଆମେରିକାର ଚାକିରୀ କରୁଥିବା ବେଳେ ଝିଅ ଟି ଘରେ ରହିଛି । ଅନିତା ପୁରୋହିତ ଜଣେ ଛାତ୍ର ବତ୍ସଳ, ମେଳାପୀ ଓ ପରୋପକାରୀ ଶିକ୍ଷୟତ୍ରୀ ଥିବାରୁ ଅଞ୍ଚଳବାସୀ ତଥା ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।

Comments (0)
Add Comment