ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ।

ପୋଲସରା ,୧୬/୦୭(ପିପିଟି) : ବିଦ୍ୟାଳୟର ଶ୍ରେଣୀ ଗୃହ ସମସ୍ୟାର ସମାଧାନ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଶ୍ରେଣୀ ଗୃହ ଅଭାବ ସମସ୍ୟା ସମାଧାନ ନେଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲାପକାଇ ରାସ୍ତାରେ ବସି ପ୍ରତିବାଦ କଲେ ଛାତ୍ରଛାତ୍ରୀ । ଏଭିଳି ଘଟଣା ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଅଭିଭାବକଙ୍କ ପକ୍ଷରୁ ବିଦ୍ୟାଳୟ ଫାଟକରେ ତାଲା ପକାଯିବା ସହ ଛାତ୍ରଛାତ୍ରୀମାନେ ଫାଟକ ବାହାରେ ବସି ପ୍ରତିବାଦ କରିଥିଲେ। ବିଦ୍ୟାଳୟରେ ଦୀର୍ଘ ଅଢେଇ ବର୍ଷ ଧରି ଦୁଇ କୋଠା କାର୍ଯ୍ଯ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ଛାତ୍ରଛାତ୍ରୀ ବୃନ୍ଦ ବାରଣ୍ଡାରେ ବସି ପାଠ ପଢିବାକୁ ବାଧ୍ୟ ହେଉଥିଲେ। ବିଦ୍ୟାଳୟର ଏସଏମସି କମିଟି, ପ୍ରଧାନ ଶିକ୍ଷକ, ସ୍ଥାନୀୟ ସରପଞ୍ଚ ଓ ସିଆରସିସି ଙ୍କୁ ଅଭିଭାବକମାନେ ବାରମ୍ବାର କହି ଆସୁଥିଲେ ମଧ୍ଯ କେହି କର୍ଣ୍ଣପାତ କରୁନଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିବାକୁ ବାଧ୍ୟ ହେଲେ। ଦୀର୍ଘ ତିନି ଘଣ୍ଟା ଧରି ବିଦ୍ୟାଳୟ ଫାଟକରେ ତାଲା ଝୁଲିବା ପରେ ବ୍ଲକ ପ୍ରଶାସନିକ ଅଧିକାରୀ ପହଞ୍ଚି ଅଭିଭାବକ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚୋରିଆ ମଳିକ, ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ପରିସରରେ ଆଲୋଚନା କରିବା ସହ ୫ ଦିନ ମଧ୍ୟରେ ଶ୍ରେଣୀ ଗୃହ କାର୍ଯ୍ଯ ସମ୍ପୂର୍ଣ୍ଣ କରି ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ସହାୟକ ହେବ ବୋଲି ପ୍ରତିଶୃତି ଦେବାପରେ ସ୍ୱାଭାବିକ ସ୍ଥିତି ଫେରିଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment