ହିଞ୍ଜିଳିକାଟୁ,୨୯/୧୨(ପିପିଟି) ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ନିଜ ନାମ ଦେଇ ଅପବ୍ୟବହାର କରିବା ଏବଂ ସାଧାରଣ ଜନତାଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେବା ଅଭିଯୋଗରେ ମଙ୍ଗଳବାର ହିଞ୍ଜିଳି ବିଜେପିର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ସରକାର ଜାରୀ କରିଥିବା ବିଜ୍ଞପ୍ତିକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚିରିବା ସହ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ ପକ୍କା ବାସଗୃହ ଯୋଗାଇଦେଉଥିବା ବେଳେ, ରାଜ୍ୟ ସରକାର ଏହାକୁ ବିଜୁ ପକ୍କା ଘର ନାମରେ ବଣ୍ଟନ କରୁଛନ୍ତି ବୋଲି ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍ନରେ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ଆରଏମସି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଞ୍ଜିଳି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ସେହିପରି ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ସ୍ଥାନୀୟ କୃଷି ଅଧିକାରୀଙ୍କ ସହ ବିଜେପି ନେତୃବୃନ୍ଦ ଆଲୋଚନା କରିଥିଲେ। ଆସିକା ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ହିଞ୍ଜିଳି ବିଧାନସଭା ପ୍ରଭାରୀ ଶିଶିର ମିଶ୍ର, ପ୍ରଶିକ୍ଷଣ ଶିବିର ସଂଯୋଜକ ପବିତ୍ର ନାୟକ, ପୂର୍ବତନ ନଗର ସଭାପତି ମାଧବ ଗୌଡ଼, ପୂର୍ବତନ ଉପସଭାପତି ଆକାଶ ପଟ୍ଟନାୟକ, ରଶ୍ମିତା ବେହେରା, ପଞ୍ଚାନନ ଡାକୁଆ,ନିଳମଣି ସ୍ୱାଇଁ, ଜଗନ୍ନାଥ ପାତ୍ର, ସୁଶାନ୍ତ ସେଠୀ, ନୟନ ମଳିକ ପ୍ରମୂଖ ଏହି ଅଭିଯାନରେ ସାମିଲ ହୋଇଥିଲେ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)