ପୋଲସରା ୨୪/୧୧(ପିପିଟି):ଶକ୍ତି ହରାଉଛି ବିଜେଡି, ଧୀରେ ଧୀରେ ଦଳ ଦୁର୍ବଳ ହେବାରେ ଲାଗିଛି। ବିଜେଡି ଛାଡ଼ି ବିଜେପିରେ ଅନେକ ନେତା ମିଶୁଥିବା ବେଳେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଛାଡ଼ି ବିଜେପି ୫୦୦ରୁ ଉର୍ଦ୍ଧ୍ବ ଆଗଧାଡିର ନେତା ଓ କର୍ମୀ ସାମିଲ ହୋଇଛନ୍ତି । ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଅନ୍ତର୍ଗତ ଜାଗିଲି ଡେଙ୍ଗାପଦର ଗ୍ରାମ ମନ୍ଦିର ସାମ୍ନାରେ ଆୟୋଜିତ ଏକ ବିରାଟ ମିଶ୍ରଣ ପର୍ବରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଓ ଏମଏସଏମଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପସ୍ଥିତ ରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦୃଢ଼ ସଙ୍ଗଠକ ତଥା ପୂର୍ବତନ ସରପଞ୍ଚ ପ୍ରତିନିଧି କୃଷ୍ଣ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଦୁଇ ଶହ ପରିବାରର ୫୦୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ, ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି । ସମସ୍ତେ ମିଶି କିପରି ଏହି ପଞ୍ଚାୟତର ବିକାଶ ହୋଇପାରିବ ସମସ୍ତଙ୍କ ସହଯୋଗ ଲୋଡିଥିଲେ ମନ୍ତ୍ରୀ। ଏହାସହିତ ଆଗାମୀ ଦିନରେ ବିଜେଡି ଛାଡ଼ି ବହୁ ନେତା ବିଜେପିରେ ଯୋଗଦେବେ ବୋଲି ମଧ୍ୟ ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପଞ୍ଚାୟତରେ ପୂର୍ବତନ ବିଧାୟକଙ୍କ ସମୟରେ ଯାହାକିଛି ହୋଇଛି ତାଠାରୁ ଅଧିକ ପ୍ରଗତିଶୀଳ କରାଇବା ଓ ଅଞ୍ଚଳର ଜନସାଧାରଣଙ୍କୁ ଆହୁରି ଅଧିକ ସେବା ଯୋଗାଇଦେବା ପାଇଁ ମୁଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲି ବୋଲି ସରପଞ୍ଚ ପ୍ରତିନିଧି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ଏହି ସମୟରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା ସମେତ ଅନ୍ୟାନ୍ୟ ମଣ୍ଡଳ ସଭାପତି ଉପସ୍ଥିତ ରହିଥିବା ବେଳେ ସରପଞ୍ଚ ପିତାମ୍ବର ବେହେରା, କୃଷ୍ଣ ପ୍ରିୟା ଗୌଡ଼, ନମିତା ସେଠୀ, ମମତା ଜେନା,ସନ୍ତୋଷୀ ଭୂୟାଁ, କୁନି ସ୍ବାଇଁ , ଲକ୍ଷ୍ମୀ ମଳିକ, ଧନୁର୍ଦ୍ଧର ବିଷୋୟୀ,ଅମର ନାହାକ ସମେତ ୫୦୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏହି ସମୟରେ ଯୁବ ନେତା ମନୋଜ କୁମାର ଖଟେଇ , ସୁଶ୍ରୀ ଆରତୀ,ଗଙ୍ଗା ନାୟକ ସମେତ ଅନ୍ୟ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା