ଯାଜପୁର,୧୯/୦୭(ପିପିଟି) :ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ କୁ କଳିଙ୍ଗନଗର ରୁ ରାଉରକେଲାକୁ ସ୍ଥାନାନ୍ତର ପାଇଁ ହେଉଥିବା ଉଦ୍ୟମକୁ ବନ୍ଦ କରିବା ଓ କଳିଙ୍ଗ ନଗରରେ ଏହାର ଭିତ୍ତିଭୂମି ବିକାଶ ନିମନ୍ତେ ଅର୍ଥ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ। ମୁଖ୍ୟମନ୍ତ୍ରୀ,କେନ୍ଦ୍ର ଇସ୍ପାତ ମନ୍ତ୍ରୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ,ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଏକ ପତ୍ରରେ ଶ୍ରୀ ଘଡେ଼ଇ ଦର୍ଶାଇଛନ୍ତି ଯେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ୨୦୦୧ ମସିହାରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ (Biju Pattnaik National Steel Institute) ଭଳି ଏକ ଜାତୀୟ ସଂସ୍ଥା ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ, ୨୦୦୪ ମସିହା ଫେବୃୟାରୀ ମାସ ୨୮ ତାରିଖ ଦିନ ଏହା କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରି ପୁରୀ ଠାରେ କାର୍ଯ୍ୟକ୍ଷମ ହୋଇଥିଲା । ଏଥିରୁ ପ୍ରତିବର୍ଷ ଦେଶ ତଥା ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ ଏବଂ ବିଭିନ୍ନ ଇସ୍ପାତ କାରଖାନାର କର୍ମଚାରୀ ଦକ୍ଷତାବିକାଶ ଟ୍ରେନିଂ ନେଇ ରାଜ୍ୟ ତଥା ଦେଶରେ ଇସ୍ପାତ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଓଡିଶା ବର୍ତ୍ତମାନ ଦେଶରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଯାଜପୁର ଜିଲ୍ଲା କଳିଙ୍ଗନଗର ଦେଶର ଷ୍ଟିଲ୍ ହବ୍ ଭାବରେ ପରିଚିତ ଲାଭ କରିଛି ଏବଂ ଏହା ରାଜ୍ୟରେ ଇସ୍ପାତ ଓ ଷ୍ଟେନଲେସ୍ ଷ୍ଟିଲ୍ ନିର୍ମାଣର ପ୍ରମୁଖ କେନ୍ଦ୍ର ସାଳିଛି । କାରଣ ଏଠାରେ ଟାଟା, ଭିସା, ମେସ୍କୋ, ଇମ୍ଫା ଏବଂ ଜିନ୍ଦଲ ଭଳି ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ନିଜର ପ୍ରକଳ୍ପ ପ୍ରତିଷ୍ଠା କରିବା ସହିତ ଅନେକ ଛୋଟ ବଡ ଶିଳ୍ପ ସଂସ୍ଥା କାରଖାନା ସ୍ଥାପନ କରିଛନ୍ତି । ତେଣୁ କଳିଙ୍ଗନଗର ର ଗୁରୁତ୍ୱକୁ ଉପଲବ୍ଧି କରି, ୨୦୨୧ ମସିହା ମାର୍ଚ୍ଚ ମାସରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ବିଜୁ ପଟ୍ଟନାୟକ ନ୍ୟାସନାଲ ଷ୍ଟିଲ ଇନଷ୍ଟିଚ୍ୟୁଟକୁ ପୁରୀ ଠାରୁ କଳିଙ୍ଗ ନଗରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦେଶ ପାଇବା ପରେ ରାଜ୍ୟ ସରକାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇଡକୋ ଦ୍ଵାରା ଏକ ଗୃହ ପ୍ରଦାନ କରିବା ପରେ ସେଠାରେ ଏହି ଜାତୀୟ ସଂସ୍ଥା ନିଜର କାର୍ଯ୍ୟ ଚାଲୁ ରଖିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କଳିଙ୍ଗ ନଗରଠାରେ ଏହାର ମୁଖ୍ୟ କ୍ୟାମ୍ପସ ନିର୍ମାଣ କରିବା ପାଇଁ ୨୫ ଏକର ଜମି ଏବଂ ଏହାର ସିଟି ସେଣ୍ଟର ନିର୍ମାଣ ପାଇଁ ଭୁବନେଶ୍ୱରର ବାଲିଅନ୍ତା ଠାରେ ୫ ଏକର ସରକାରୀ ଜମି ପ୍ରଦାନ କରିଛନ୍ତି। ମାତ୍ର ନିକଟରେ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନକୁ କଳିଙ୍ଗ ନଗରରୁ ରାଉରକେଲାକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ଵାରା ସରକାର ସ୍ଥାନୀୟ ଜନତାଙ୍କ ଭାବନାକୁ ଆଘାତ ଦେବା ସହିତ କଳିଙ୍ଗନଗରର ଗୁରୁତ୍ବକୁ ଅଣଦେଖା କରିଛନ୍ତି । ତେଣୁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ କୁ କଳିଙ୍ଗ ନଗର ଠାରୁ ରାଉରକେଲାକୁ ସ୍ଥାନାନ୍ତରଣ ବନ୍ଦ କରିବା ସହିତ ଆବଶ୍ୟକୀୟ ଅର୍ଥ ପ୍ରଦାନ କରି କଳିଙ୍ଗ ନଗର ଠାରେ ଏହାର ଭିତ୍ତିଭୂମି ବିକାଶ କରିବାକୁ ପୂର୍ବତନ ମନ୍ତ୍ରୀ ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଅନୁରୋଧ କରିଛନ୍ତି।