ମାଲକାନଗିରି ,୧୬/୦୩(ପିପିଟି) : ଆଜି ଅପରାହ୍ନରେ ମାଲକାନଗିରି – ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ବିଜାଘାଟି ନିକଟର ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ୧୦୮ ଆମ୍ବୁଲାନ୍ସକୁ ଫୋନ କଲେ ମଧ୍ୟ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ପଡ଼ିଥିବା ଗୁରୁତର ଆହାତ ବ୍ୟକ୍ତିଙ୍କୁ ନେଇ ନଥିଲା ।ଏହାକୁ ଦୁର୍ଘଟଣାକୁ ବହୁଲୋକ ଦେଖିଥିଲେ ମଧ୍ୟ କେହି ମାନବିକତା ଦୃଷ୍ଟିରୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ କୈାଣସି ସହାୟତା କରି ନଥିଲେ। ସେହି ରାସ୍ତା ଦେଇ ମାଲକାନଗିରି ରୁ ଜୟପୁର ଅଭିମୁଖେ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କିଛି ସାମ୍ବାଦିକମାନେ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଦେଖି ଅଟକି ଯାଇଥିଲେ।ପୁନର୍ବାର ୧୦୮ ଓ ଥାନାକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ସେମାନେ ଆସିବାର ବିଳମ୍ବ ଦେଖି ଆହତ ବ୍ୟକ୍ତିର ଯନ୍ତ୍ରଣା ବେଳେକୁ ବେଳ ବଢିବା ଯୋଗୁଁ ବାଧ୍ୟ ହୋଇ ଏକ ଅଟୋ ସହାୟତାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,ଆଜି ଅପରାହ୍ନରେ ମାଲକାନଗିରି ଠାରୁ ଜୟପୁର ଅଭିମୁଖେ ସନ୍ତୋଷ ମଲିକ ନାମକ ଜନୈକ ଯୁବକ ବାଇକ୍ ରେ ଯାଉଥିବା ବେଳେ ମାଲକାନଗିରି ନିକଟସ୍ଥ ବିଜାଘାଟି ଉଠିଥିବା ବେଳେ ହଟାତ ଜୟପୁର ପଟୁ ଆସୁଥିବା ଏକ ୟାମା (ଆର ୧୫ ଓଡି ୧୦ ଏମ ୬୯୧୧ ) ବାଇକ ଦ୍ରୁତ ଗତିରେ ଆସି ଯୁବକ ବାଇକକୁ ଧକ୍କା ଦେବା ଫଳରେ ଯୁବକଟି ଛିଟିକି ପଡ଼ିଥିଲେ ତାଙ୍କ ଗୋଡ ଓ ହାତରେ ଗଭୀର ଆଘାତ ଲାଗି ଥିଲା। ସେ ଗୁରୁତର ଭାବେ ଆହତ ହୋଇଥିଲା ବେଳେ ଧକ୍କା ଲଗାଇଥିବା ଅନ୍ଯ ବାଇକ ଚାଳକଟି ଏକ ସରକାରୀ ବସ ର ସାମ୍ନାରେ ପସିଯାଇ ଅଟକିଯାଇଥିଲା। ଗୁରୁତର ଭାବେ ଆହତ ହୋଇଥିବା ଯୁବକ ଜଣକ ଜୟପୁର ସହରର ସନ୍ତୋଷ ମଲିକ ବୋଲି ଜଣାପଡ଼ିଥିବା ବେଳେ ଧକ୍କା ଲଗାଇଥିବା ଯୁବକ ପଡିଆ ଅଞ୍ଚଳର ସୌରଭ ମୁଖି ବୋଲି ଜଣାପଡିଛି। ପରେ ଘଟଣା ସ୍ଥଳରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ଦୁଇଟି ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)