ବିକାଶ ଅନୁଷ୍ଠାନ ପକ୍ଷରୁ କୋଦଳାରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ ।

କୋଦଳା,୧୮/୦୩(ପିପିଟି); “ସଡ଼କ ସୁରକ୍ଷ୍ୟା ଜୀବନ ରକ୍ଷ୍ୟା “ରାସ୍ତା ଦୁର୍ଘଟଣା ଯୋଗୁଁ ଆମ ଦେଶରେ ପ୍ରତିବର୍ଷ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଯାହାକି ମହାମାରୀ ଭଳି ବ୍ୟାପକ ହେବାରେ ଲାଗୁଛି । ଏହା ଛଡ଼ା ଅନେକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇନପାରି ସାରା ଜୀବନ ପାଇଁ ଅକର୍ମଣ୍ୟ ତଥା ପଙ୍ଗୁ ହୋଇଯାଉଛନ୍ତି। ଏହି ଦୁର୍ଘଟଣାର କୁପ୍ରଭାବ ପରିବାରର ମହିଳା ଓ ଶିଶୁମାନଙ୍କ ଉପରେ ସର୍ବାଧିକ ପଡ଼ୁଛି। ତେଣୁ ଆର୍ଥିକ କ୍ଷତି ସହିତ ସାମାଜିକ ଓ ପାରିବାରିକ କ୍ଷତି ସଡ଼କ ଦୁର୍ଘଟଣାର ଏକ ଅଣଆଲୋଚିତ ଦିଗ ଯାହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରତେକ ବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ମଧ୍ୟ ପାଳନ ହେଉଛି। ଏହାକୁ ନେଇ ଗୁରୁବାର ସକାଳ ୧୧ ଘଣ୍ଟ ସମୟରେ କୋଦଳା ଦଣ୍ଡେଶ୍ଵର ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁବନ୍ଧିତ “ବିକାଶ” ଅନୁଷ୍ଠାନ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଯାହାକୁ କୋଦଳା ମା ଲକ୍ଷ୍ମଣଚଣ୍ଡୀ ଅଟୋ ମାଲିକ ସଙ୍ଘ ସମେତ ଛତ୍ରପୁର ଆରଟିଓ, କୋଦଳା ପୋଲିସ, ଲଷ୍ମୀନାରାୟଣ ମହାବିଦ୍ୟାଳୟ, ସ୍ବର୍ଣ୍ଣମାୟୀ ଉଚ୍ଚ ବିଦ୍ୟାଳୟ,ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ପୂର୍ଣ ସହଯୋଗ କରିଥିଲେ । କୋଦଳା ଗ୍ରାମ ଦେଇ ବସଷ୍ଟାଣ୍ଡ ଠାରୁ ଦଣ୍ଡେଶ୍ଵର ମନ୍ଦିର ଯାଏଁ ଏକ ବିରାଟ ରାଲି ବାହାରି ସଡ଼କ ସୁରକ୍ଷା ଉପରେ ସ୍ଲୋଗାନ ଦେଇ ଏକ ସୁସଜ୍ଜିତ ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଇଓ କମଳକାନ୍ତ ସାହୁ,ମୁଖ୍ୟ ବକ୍ତା ଛତ୍ରପୁର ଅତିରିକ୍ତ ଆରଟିଓ ଅଧିକାରୀ କେ.ଭେଙ୍କେଟେଶଙ୍କ ସମେତ, ପୁରୁଷୋତ୍ତମପୁର ବିକାଶ ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ରଥ ଓ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ ଯୋଗଦେଇଥିଲେ। ମଞ୍ଚାସିନ ଅତିଥି ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଉପରେ ଆଲୋକପାତ କରିବା ସହିତ ପୂର୍ବରୁ ସ୍କୁଲ ଓ କଲେଜ ପିଲାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଯେଉଁମାନେ ଉତ୍ତୀର୍ଣ୍ଣ ହୋଇଥିଲେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିକାଶ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜ ଗୋପାଳ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment