ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ।

ଉଲୁଣ୍ଡା ,୨୬/୧୧(ପିପିଟି):ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଂଡଘାଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସଂକଳ୍ପ ଯାତ୍ରାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରାଯାଇଥିବାବେଳେ ୧୨ଜଣ ହିତାଧିକାରୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ଶୌଚାଳୟ ନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଅବସରରେ ରାଷ୍ଟ୍ରର ବିକାଶ ଓ ସଂହତିକୁ ନେଇ ଏକ ସମୂହ ଶପଥପାଠ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ଆସିଥିବା ସ୍ୱତନ୍ତ୍ର ଭ୍ୟାନରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ ଯୋଜନା ଗୁଡିକର ସଫଳତାର ଚିତ୍ର – ଚରିତ୍ର ସବୁ ପ୍ରଦର୍ଶିତ କରାଯାଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉଦବୋଧନ ପ୍ରସାରିତ ହୋଇଛି । ସରପଞ୍ଚ କେଶନ ଜଗଦଲାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ଉଲୁଣ୍ଡା ବ୍ଲକ ଚେୟାରମ୍ୟାନ ଶାନ୍ତିଲତା ମିଶ୍ର ଓ ଗୋଷ୍ଠି ଉନ୍ନୟନ ଅଧିକାରୀ କରିସ୍ମା ଭେସ୍ରା ପ୍ରମୁଖ ଯୋଗଦେଇ ସରକାରଙ୍କ ଫ୍ଲାଗସିପ ଯୋଜନାର ଲାଭ ନେବାକୁ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିବା ହିତାଧିକାରୀ ମିତା ଛନ୍ଦ, ସୀମାଞ୍ଜଳି ଜଗଦଲାଙ୍କ ପରି ଅନେକ ଗ୍ରାମୀଣ ମହିଳା ସରକାରଙ୍କ ଯୋଜନା ଉପରେ ମତ ରଖିଥିଲେ । ସଂକଳ୍ପ ଯାତ୍ରାର ସ୍ୱତନ୍ତ୍ର ସଚେତନତା ରଥକୁ ସମବେତ ମହିଳାମାନେ ସ୍ୱାଗତ କରିଥିବାବେଳେ ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ଶିଶୁ କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଥିବା ଏହି ଜନ ସଚେତନତା ଅଭିଯାନ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବା ସାଙ୍ଗକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଉପରେ ଲୋକଙ୍କୁ ଜଣାଇବା ସହ ହିତାଧିକାରୀଙ୍କୁ ଯୋଡିବ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment