ବେଲଗୁଣ୍ଠା,୨୧/୦୮(ପିପିଟି): ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ କିଛି ବର୍ଷ ଧରି ଲାଗିରହିଥିବା ବିଏସ୍ଏନ୍ଏଲ୍ ନେଟୱାର୍କ ସମସ୍ୟା ସମ୍ପର୍କରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗୋବରା ସମିତିସଭ୍ୟ ବିଭୁପାଦ ଜେନା । ସୂଚନା ପ୍ରକାରେ ଗୋବରା ଏକ ଜନ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଆଜି ପର୍ଯ୍ୟନ୍ତ ବିଏସ୍ଏନ୍ଏଲ୍ ଟାୱାର୍ ସ୍ଥାପନ କରାଯାଇ ପାରିନାହିଁଁ । ଏଠାରୁ ଭଞ୍ଜନଗର ପଟେ ଦେଢ଼ କିଲୋମିଟର ଦୂର ଷଡ଼ଙ୍ଗୀପଲ୍ଲୀ ଠାରେ ଏକ ବିଏସ୍ଏନ୍ଏଲ୍ ଟାୱାର୍ ଥିବା ବେଳେ ଆସିକା ପଟେ ଦୁଇ କିଲୋମିଟର୍ ଦୂର କ୍ଷତ୍ରିୟବରପୁର ଅନ୍ୟ ଏକ ଟାୱାର୍ ରହିଛି । ଗୋବରାରେ ଟାୱାର୍ ନଥିବା ଯୋଗୁଁ ଏଠାରେ ବିଏସ୍ଏନ୍ଏଲ୍ ସିମ୍ ରୁ ଫୋନ୍ ରେ ସ୍ପଷ୍ଟ ବାର୍ତ୍ତଳାପ ହୋଇପାରୁନାହାଁନ୍ତି ଲୋକେ । ଫଳରେ ଏହି ଗ୍ରାମର ଲୋକେ ବର୍ଷ ବର୍ଷ ଧରି ନେଟୱାର୍କ ସମସ୍ୟାରେ ହନ୍ତସନ୍ତ ହେବା ସହ ଅନଲାଇନ୍ ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟ ସମ୍ପାଦନରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି । ଏଣୁ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ଦିଗରେ ଅନୁରୋଧ କରି ଗୋବରା ସମିତିସଭ୍ୟ ବିଭୁପାଦ ଜେନା କେନ୍ଦ୍ର ଟେଲିକମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )