ମାଲକାନଗିରି,୧୩/୦୮(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଏସଏଫ ର କମାଣ୍ଡିଙ୍ଗ ଇନ୍ସପେକ୍ଟର ଅନୁପ ସିଂ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡଙ୍କ ନେତୃତ୍ବରେ ସମସ୍ତ ବିଏସଏଫ ଯବାନ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀମାନେ ଗ୍ରାମ ପରିକ୍ରମା କରି ଭାରତ ସ୍ଵାଧୀନତାର ୭୫ତମ ଜୟନ୍ତୀ (ଆଜାଦି କା ଅମୃତ ମହୋତ୍ସବ) ର ଗୈାରବମୟ ଘଟଣାକୁ ପ୍ରଚାର ପ୍ରସାର କରିଥିଲେ । ଦିନେ ଯେଉଁ ଅଞ୍ଚଳରେ ମାଓବାଦୀମାନେ ଦମନ ଲୀଳା ଚଳାଇ ଲୋକଙ୍କୁ ଭୟଭୀତ କରିବା ସହ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆତଙ୍କିତ କରାଉଥିଲେ, ଆଜି ସେହି ଅଞ୍ଚଳରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବିଏସଏଫ ଓ ବିଦ୍ୟାଳୟ ତରଫରୁ ଏଭଳି ଏକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ନାହିଁ ନଥିବା ଆନନ୍ଦ ଖେଳିଯାଇଥିଲା ଏବଂ ଏଥିରେ ସାଧାରଣ ଜନତା, ଅଭିଭାବକ ଓ ଶିକ୍ଷାପ୍ରେମୀମାନେ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ । ବିଏସଏଫ ଇନ୍ସପେକ୍ଟର ଅନୁପ ସିଂ ଯୋଗ ଦେଇ ଭାରତୀୟ ସ୍ବାଧୀନତା ଦିବସ, ତ୍ରିରଙ୍ଗା ପତାକାର ମହତ୍ୱ ଓ ବୀର ସହୀଦମାନଙ୍କ ବଳିଦାନର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)