ବାୟୁ ସେନାରେ ସାମିଲ ହେବେ ମାଲକାନଗିରିର ଯୁବପିଢ଼ି ।

ମାଲକାନଗିରି, ୦୯/୦୭(ପିପିଟି):ଭାରତୀୟ ବାୟୁ ସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଚାଲିଥିବା ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟାକୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଭର୍ଚୁଆଲ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଗୁପ୍ତ ମାଢ଼ି ପରିଚାଳନା କରିବା ସହ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ଆଇଟିଆଇ ଏବଂ ପଲିଟେକ୍ନିକ ଅନୁଷ୍ଠାନର ଅଧ୍ୟକ୍ଷ ଓ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଅନଲାଇନ ଆବେଦନ ଶୈଳୀ, ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ, ପ୍ରମୁଖ ଦଲିଲପତ୍ର ଏବଂ ଆଗାମୀ ନିଯୁକ୍ତି ରାଲି ସମ୍ବନ୍ଧୀୟ ସମସ୍ତ ବୈଷୟିକ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ଉପସ୍ଥିତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ସମ୍ବୋଧିତ କରି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ରାଜସିର୍କେ ଜିଲ୍ଲାର ଯୋଗ୍ୟ +୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲାର ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଏହି ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସର୍ବାଧିକ ପଞ୍ଜୀକରଣ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେବା ସହ ପ୍ରତି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏବଂ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ପ୍ରେରିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶସେବା କରିବା ଏବଂ ଭାରତୀୟ ବାୟୁ ସେନାର ଅଂଶ ହେବା ପ୍ରତ୍ୟେକ ଯୁବକଙ୍କ ପାଇଁ ଏକ ଗୌରବର ବିଷୟ। ମାଲକାନଗିରି ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ ଅଦମ୍ୟ ପ୍ରତିଭା ଓ ସାହସ ରହିଛି। ଜିଲ୍ଲାର କୌଣସି ବି ଯୋଗ୍ୟ ପ୍ରାର୍ଥୀ ଯେପରି ସଠିକ୍ ସୂଚନା ବା ମାର୍ଗଦର୍ଶନ ଅଭାବରୁ ଏହି ସୁବର୍ଣ୍ଣ ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ନିଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ସକ୍ରିୟ ଭାବେ ପ୍ରେରିତ କରନ୍ତୁ ଏବଂ ସେମାନଙ୍କର ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରନ୍ତୁ ବୋଲି ଜିଲ୍ଲାପାଳ ଆହ୍ୱାନ କରିଛନ୍ତି।ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କମାଣ୍ଡିଂ ଅଫିସର ସଞ୍ଜୟ ପଟ୍ଟନାୟକ ପର୍ଯ୍ୟାୟକ୍ରମେ ପଞ୍ଜୀକରଣ ପ୍ରକ୍ରିୟା ବିଷୟରେ ବ୍ୟାଖ୍ୟା କରିବା ସହ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଉଚିତ ସହଯୋଗ ଯୋଗାଇବା ପାଇଁ ସମସ୍ତ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଥିଲେ।ସୂଚନାଯୋଗ୍ୟ ଯେ, ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଅନଲାଇନ ପଞ୍ଜୀକରଣର ଅବଧି ୦୬ ଜୁଲାଇ ୨୦୨୬ ରୁ ୨୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ମାଲକାନଗିରି ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ ଏହି ପଞ୍ଜୀକରଣର ଦୈନନ୍ଦିନ ପ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବ ଏବଂ ସମସ୍ତ ଆବେଦନକାରୀଙ୍କୁ ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇ ଦେବ। ଜିଲ୍ଲା ପ୍ରଶାସନର ଏହି ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଚଳିତ ବର୍ଷ ଅଗ୍ନିବୀର ବାୟୁ ନିଯୁକ୍ତି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ଯୋଗ୍ୟ +୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଆବେଦନ କରିବେ ବୋଲି ଆଶା ପ୍ରକଟ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment