ବାଳିକାଙ୍କ ପାଇଁ ଆରମ୍ଭ ହେଲା ସନ୍ତରଣ ପ୍ରଶିକ୍ଷଣ ।

ମାଲକାନଗିରି, ୦୨/୦୩(ପିପିଟି):ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରଥମ ଥର ବାଳିକା ମାନଙ୍କ ପାଇଁ ସନ୍ତରଣ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଉପସ୍ଥିତ ଥିଲେ। ପାଣିରେ ବୁଡ଼ି କୌଣସି ପ୍ରାଣହାନି ଜନିତ ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୁବପିଢୀଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ସପ୍ତମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିରରେ ୩୦ ଜଣିଆ ଅଂଶ ଗ୍ରହଣକାରୀଙ୍କୁ ଓଡରାଫ୍ ଟିମ୍ ଦ୍ବାରା ୨ ରୁ ୭ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଶିକ୍ଷଣର ପ୍ରଥମ ଦିନ ଥିଓରୀ ଜ୍ଞାନ ପ୍ରଦାନ କରାଯାଇଥିବା ବେଳେ ଆସନ୍ତା କାଲି ବଣ୍ଡା ବାକୁଲି ବନ୍ଧ ଠାରେ ସନ୍ତରଣ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଜରୁରୀକାଳୀନ ବିଭାଗ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ।

(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment