ବାଲ୍ୟ ବିବାହ ମୁକ୍ତ ହେବ ମାଲକାନଗିରି ।

ମାଲକାନଗିରି,୨୪/୦୩(ପିପିଟି):ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ସଦସ୍ୟା ସୁଜାତା ନାୟକ ମାଲକାନଗିରି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଏକ ବ୍ୟାପକ ଜନ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି।
ଆଜି ସଦସ୍ୟା ପ୍ରଥମେ ଏମଭି-୦୩ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାରେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧାର ତଦାରଖ କରିଥିଲେ। ଏହାପରେ ସେ ତମସା ଆଶ୍ରମ ସ୍କୁଲ ଏବଂ ମାଲକାନଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ଶିକ୍ଷା ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ଶିଶୁମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତମସା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟି ବୈଠକରେ ଯୋଗଦେଇ ସଦସ୍ୟା କହିଥିଲେ ଯେ, ବାଲ୍ୟ ବିବାହ ଶିଶୁ ଅଧିକାରର ଏକ ନଗ୍ନ ଉଲ୍ଲଙ୍ଘନ ଏବଂ ଏହା କୌଣସି ସ୍ତରରେ ଗ୍ରହଣଯୋଗ୍ୟ ନୁହେଁ । ଶୋଷଣ ମୁକ୍ତ ଶୈଶବ ପ୍ରତ୍ୟେକ ଶିଶୁର ଜନ୍ମଗତ ଅଧିକାର। ବୈଠକରେ ଶିଶୁ ଶ୍ରମିକ ନିୟୋଜିତ କରିବା, ଭିକ୍ଷାବୃତ୍ତିରେ ଲଗାଇବା କିମ୍ବା ନିଶା କାରବାରରେ ଶିଶୁଙ୍କୁ ବ୍ୟବହାର କରିବା ଭଳି ଅପରାଧ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସମସ୍ତଙ୍କୁ ସଜାଗ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ ନାରାୟଣ ଦାସ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ଆଶା ପ୍ରକଟ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment