ବାଲିଛାଇର ୫୦ରୁ ଉର୍ଦ୍ଧ୍ୱ ଦଳିତ ପରିବାରକୁ ନ୍ୟାୟ ଦେବାରେ ସରକାର ବ୍ୟର୍ଥ; ମାର୍ଚ୍ଚ ୨୫ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା ।

ବାଲିଛାଇର ୫୦ରୁ ଉର୍ଦ୍ଧ୍ୱ ଦଳିତ ପରିବାରକୁ ନ୍ୟାୟ ଦେବାରେ ସରକାର ବ୍ୟର୍ଥ; ମାର୍ଚ୍ଚ ୨୫ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା ।

ବ୍ରହ୍ମପୁର,୨୧/୦୩(ପିପିଟି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ବାଲିଛାଇ ଗ୍ରାମରେ ଗତ ୨୦୦୦ ମସିହାରେ କିଛି ସବର୍ଣ୍ଣ ଲୋକ ଗାଁର ଦଳିତ ଲୋକଙ୍କ ଉପରେ ସଂଘବଦ୍ଧ ହୋଇ ସାମାଜିକ ବାସନ୍ଦ କରିବା ସହ ମରଣାତ୍ମକ ଆକ୍ରମଣ କରି ୫୦ରୁ ଉର୍ଦ୍ଧ୍ୱ ଦଳିତ ପରିବାରକୁ ଗାଁରୁ ତଡ଼ି ଦେଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ଅପରାଧିମାନଙ୍କ ଉପରେ ମୋକଦ୍ଦମା ଦାୟର ହେବା ସହ ବିଚାରଣା ଚାଲିଛି। ଏପରିକି ଦଳିତମାନେ ଚାଷ କରୁଥିବା ୪୦ ଏକରରୁ ଉର୍ଦ୍ଧ୍ୱ ଚାଷଜମିକୁ ସେମାନଙ୍କ ଅନୁପସ୍ଥିତିରେ ଗାଁଲୋକେ ଜୋର ଜବରଦସ୍ତ ଚାଷ କରି ତା’ର ଆଦାୟକୁ କୋଠରେ ରଖୁଛନ୍ତି। ତେବେ ଜାତିଗତ କାରଣରୁ ନିଜର ଗାଁରୁ ବିତାଡ଼ିତ ଏହି ପରିବାରଗୁଡ଼ିକ ଅତ୍ୟନ୍ତ ଦୟନୀୟ ଭାବେ ଗତ ୨୫ ବର୍ଷ ଧରି ଏକରକମ ଯାଯାବର ଜୀବନ ଅତିବାହିତ କରୁଛନ୍ତି। ସେମାନେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପାଖକୁ ବାରମ୍ବାର ଦୌଡ଼ିଲେ ସୁଦ୍ଧା ସେମାନଙ୍କୁ ନ୍ୟାୟ ଦେବାରେ ତଥା ଗାଁକୁ ଫେରାଇ ପୂର୍ବଭଳି ଥଇଥାନ କରିବାରେ ସରକାର ଓ ଜିଲ୍ଲା ପ୍ରଶାସନ ଏକରକମ ବିଫଳ ହୋଇଛି।

ଅତିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଡ଼କାଇ ଦଳିତମାନଙ୍କୁ ଗାଁକୁ ଫେରାଇ ନେବା ପାଇଁ ତଥା ସେମାନଙ୍କ ଘରଦ୍ୱାର ଭାଙ୍ଗି ଦିଆଯାଇଥିବାରୁ ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ ନୂତନ ଘର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲେ ମଧ୍ୟ ତାକୁ ଏଯାଏଁ କାର୍ଯ୍ୟକାରୀ କରାଗଲାନି। ଏପରିକି ଶାନ୍ତିରକ୍ଷା ପାଇଁ ହାଇକୋର୍ଟର ନିର୍ଦ୍ଦେଶରେ ଗାଁରେ ଏକ ପୋଲିସ ଫାଣ୍ଡି ସ୍ଥାପନ କରାଯାଇଥିଲେ ମଧ୍ୟ ଗାଁକୁ ଦଳିତମାନଙ୍କୁ ଫେରାଇବାକୁ କୌଣସି ଠୋସ୍ ବନ୍ଦୋବସ୍ତ କରାଗଲାନି। ଗତ ୨୦୧୨ ମସିହାରେ ଲୋକଙ୍କ ସହ ଏ ସମ୍ପର୍କରେ ଆଲୋଚନା ପାଇଁ ତତ୍କାଳିନ ଜିଲ୍ଲାପାଳ ଓ ଏସ୍‌ପି ବାଲିଛାଇ ଯାଇଥିଲେ ମଧ୍ୟ ସେମାନଙ୍କୁ ଗାଁର ସବର୍ଣ୍ଣ ଲୋକମାନେ ଘଣ୍ଟା ଘଣ୍ଟା ଧରି ଘେରାଉ କରି ରଖିଥିଲେ। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଏ ଦିଗରେ ଆଉ ଆଗକୁ ନବଢ଼ି ଗତ ୧୩ ବର୍ଷ ଧରି ଏକଦମ୍ ଚୁପ୍ ରହିଲା। ନିକଟରେ ଆସିକା ଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି ବୈଠକରେ ଗାଁର ସବର୍ଣ୍ଣ ଲୋକଙ୍କ ପ୍ରତିନିଧିମାନେ ଗାଁରେ ଥିବା ଦଳିତ ଲୋକଙ୍କ ଜମି ଚିହ୍ନଟ କରିବାକୁ ପ୍ରଶାସନର ନିଷ୍ପତି ପ୍ରତି ସହମତି ପ୍ରକାଶ କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଅଧିକାରୀମାନେ ଏଥିପାଇଁ ଯେତେବେଳେ ଗତ ୨୪ ତାରିଖରେ ଗାଁକୁ ଯାଇଥିଲେ ସେତେବେଳେ ଗାଁ ମୁହଁରେ ରହି ସେମାନେ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କୁ ଅଟକାଇ ଗାଁ ଭିତରକୁ ଯିବାକୁ ଦେଇନଥିଲେ। ଗାଁର କିଛି ଖଳ ପ୍ରକୃତିର ଲୋକ ତା’ ପୂର୍ବରୁ ଗାଁରେ ବୈଠକ କରି ଯେଉଁମାନେ ସେଦିନ ପ୍ରଶାସନ ଓ ପୋଲିସକୁ ଅଟକାଇବାକୁ ନ ବାହାରିବେ ସେମାନଙ୍କୁ ହଜାରେ ଟଙ୍କା ଜୋରିମାନା ପକାଯିବ ବୋଲି ଧମକ ଦେଇ ନେଇଥିଲେ। ଅତଏବ ବାଲିଛାଇର ଦଳିତଙ୍କ ବିରୁଦ୍ଧରେ ତଥା ପ୍ରଶାସନ ଓ ପୋଲିସ ବିରୁଦ୍ଧରେ ଗାଁଲୋକଙ୍କ ଉପରୋକ୍ତ ବେଆଇନ ଓ ନିନ୍ଦନୀୟ କାର୍ଯ୍ୟ ଗାଁର ସମସ୍ତେ ନୁହେଁ ବରଂ କିଛି ହାତଗଣତି ଖଳ ପ୍ରକୃତିର ଲୋକ ହିଁ କରୁଛନ୍ତି। ଆମେ ଉକ୍ତ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ କର୍ତୁପକ୍ଷଙ୍କୁ ବାରମ୍ବାର ଭେଟିଥିଲେ ମଧ୍ୟ ସେମାନେ ଦଳିତମାନଙ୍କୁ ନ୍ୟାୟ ଦେବାରେ ତଥା ସେମାନଙ୍କୁ ଥଇଥାନ କରିବାରେ କୌଣସି ତତ୍ପରତା ଦେଖାଇ ନାହାଁନ୍ତି। ସ୍ଥାନୀୟ ପ୍ରଶାସନ ଏନେଇ ହାତ ଟେକି ଦେଇ ଉପରୁ ନିର୍ଦ୍ଦେଶ ଆସିଲେ ଯାଇ ହିଁ କ’ଣ କରିବୁ ବୋଲି କହୁଥିବା ବେଳେ ଜିଲ୍ଲା ପ୍ରଶାସନ ନୀରବ ରହିଛନ୍ତି। ବାଲିଛାଇର କିଛି ହାତଗଣତି ଖଳ ପ୍ରକୃତିର ଲୋକଙ୍କ ପାଖରେ ଜିଲ୍ଲାର ପ୍ରଶାସନ ଓ ପୋଲିସ ମୁଣ୍ଡ ନୁଆଁଇ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏବଂ ଦଳିତମାନଙ୍କୁ ସେମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାର ଦେବାରେ ସମ୍ପୂର୍ଣ୍ଣ ଚୁପ୍ ରହିଯିବା ଅତ୍ୟନ୍ତ ପରିତାପର ବିଷୟ।

ଦେଶର ନାଗରିକ ଭାବେ ବାଲିଛାଇର ବିତାଡ଼ିତ ଦଳିତ ଲୋକଙ୍କ ସାମ୍ବିଧାନିକ ଅଧିକାରର ଖୋଲାଖୋଲି ଭାବେ ଉଲ୍ଲଂଘନ ହେଉଥିବା ବେଳେ ଏବଂ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ସମ୍ବେଦନହୀନ ଭାବେ ଦଳିତମାନଙ୍କ ଦୁଃରାବସ୍ଥାକୁ ଦୂର କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ସେମାନେ ସ୍ପଷ୍ଟ ଅନୁଭବ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଦୀର୍ଘ ୨୫ ବର୍ଷ ଧରି ନ୍ୟାୟ ପାଉ ନଥିବା ବେଳେ ଆଉ କେତେ ବର୍ଷ ଧରି ଏପରି ନିଜର ଗାଁ ଓ ଜମି ଛାଡ଼ି ବୁଲିବେ ? କ’ଣ ବାଲିଛାଇର ସବର୍ଣ୍ଣ ସମ୍ପ୍ରଦାୟର ଉପରୋକ୍ତ ଅସାମାଜିକ ଲୋକେ ଦେଶର ସମ୍ବିଧାନ ଓ ନ୍ୟାୟ ବ୍ୟବସ୍ଥାରୁ ଉର୍ଦ୍ଧ୍ୱରେ ? ସେମାନେ ନିଜ ଦେଶରେ ଆଉ ବିଦେଶୀ ଭଳି ରହିବାକୁ ଉଚିତ ମନେ କରୁନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଆମେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭା ପକ୍ଷରୁ ବାଲିଛାଇର ପିଡ଼ୀତ ଦଳିତ ପରିବାର ଗୁଡ଼ିକ ପ୍ରତି ଆମର ସଂଘତି ଓ ସମର୍ଥନ ଜଣାଉଛୁ। ସେମାନେ ଜିଲ୍ଲା ପ୍ରଶାସନର ସମ୍ବେଦନହୀନ ବ୍ୟବହାରରେ ନିରାଶ ହୋଇ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ପିଲାଛୁଆଙ୍କୁ ଧରି ଆରମ୍ଭ କରିବାକୁ ଯାଉଥିବା ଗଣଧାରଣା କାର୍ଯ୍ୟକ୍ରମକୁ ଆମେ ସମର୍ଥନ କରିବା ସହିତ ଜିଲ୍ଲାର ତଥା ରାଜ୍ୟର ଅନ୍ୟାନ୍ୟ ସଂଗଠନ ଓ ରାଜନୈତିକ ଦଳମାନଙ୍କୁ ନିବେଦନ କରୁଛୁ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ସଭାପତି ସୁରେନ୍ଦ୍ରନାଥ ନାୟକ,ସମ୍ପାଦକ ସଂଗ୍ରାମ ନାୟକ,ସଂଜୟ ନାୟକ,ମନୁ ନାୟକ, ନିରଞ୍ଜନ ନାୟକ ତଥା ବାଲିଛାଇ ଗ୍ରାମର ପୀଡ଼ିତ ଦଳିତ ଲୋକଙ୍କ ମଧ୍ୟରୁ ଗଣପତି ନାୟକ, ରମେଶ ନାୟକ, ଚିତରଞ୍ଜନ ନାୟକ,ଭଜରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Comments (0)
Add Comment