ବାଲିଗୁଡା, ୦୨/୦୨ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ପୋଲିସ ଆଉଟ ପୋଷ୍ଟ ରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଇଡ଼ ବୋଝେଇ ଟ୍ରକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଓ ଚାଲାଣକାରୀ ବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ଷ୍ଟେସନ ଅଧୀନରେ କାର୍ଯ୍ୟ କରୁଥିବା ବାରଖାମା ପୋଲିସ ଆଉଟପୋଷ୍ଟର ଏକ ସ୍ୱତନ୍ତ୍ର ପୋଲିସ ଦଳ ନିୟମିତ ରାତ୍ରି କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ାରୁ ବାରଖାମା ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଅଞ୍ଚଳ କୁ ଏକ ପଇଡ଼ ବୋଝେଇ ଟ୍ରକ ଦ୍ରୁତ ଗତିରେ ଯାଉଥିବାର ଦେଖିବାକୁ ମିଳିଥିଲା। ଗାଡିର ଚାଳନାରେ ପୋଲିସ ସନ୍ଦେହ ସୃଷ୍ଟି କରିଥିଲା, ପୋଲିସ ଦଳ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଡ୍ରାଇଭର ତାହା ପାଳନ କରିବାରେ ବିଫଳ ହୋଇଥିଲେ ଏବଂ ଦ୍ରୁତ ଗତିରେ ଗାଡି ଚାଳନା ଜାରି ରଖିଥିଲେ। ପାଟ୍ରୋଲିଂ ଦଳ ଉକ୍ତ ଅଞ୍ଚଳ ଦେଇ ଯାଉଥିବା ସମୟରେ ଟ୍ରକକୁ ପିଛା କରିଥିଲା। ସୁଡ୍ରା ପଞ୍ଚାୟତ ନିକଟସ୍ଥ କାମ୍ବେରିକିଆ ଘାଟି ନିକଟରେ ଟ୍ରକ୍ ଛାଡ଼ି ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଉକ୍ତ ପଇଡ଼ ବୋଝେଇ ଟ୍ରକ କୁ ପୋଲିସ ତଲାସ କରିଥିଲା ଏବଂ ସେଥିରେ ଥିବା ପଇଡ଼ ବୋଝେଇ ଭିତରେ ଲୁଚାଇ ରଖାଯାଇଥିବା ୧୯୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ପଶ୍ଚିମବଙ୍ଗରେ ପଞ୍ଜିକୃତ ଟ୍ର କନଂ.ଡବ୍ଲୁ ବି-୨୩-ସି -୯୮୫୫ ଟିକୁ ଜବତ ଚୋରା ଗଞ୍ଜେଇ ସହିତ ପୋଲିସ ହେପାଜତକୁ ନିଆଯାଇଥିଲା। ଏ ନେଇ ବାରଖମା ଆଉଟ ପୋଷ୍ଟ ଅଧିକାରୀ ବାହୁବଳୀ ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି ଯେ, ଗଞ୍ଜେଇ ଚାଲାଣକାରୀ ମାନେ ଏବେ ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି, ଯାହାକି ପଇଡ଼ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ ଏହି ଅଞ୍ଚଳ ରେ ପ୍ରଥମ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି । ଏ ସମ୍ପର୍କ ରେ ବାଲିଗୁଡା ଥାନା କେଶ ନଂ. ୩୦/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ବେଆଇନ ପରିବହନରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ସହ ଛାନଭିନ ଜାରୀ ରହିଥିବା ବିଷୟ ପ୍ରକାଶ କରିଛନ୍ତି।
ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ