ବାଲିକୁଦାରେ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ ।

ଜଗତସିଂହପୁର,୦୮/୦୯(ପିପିଟି); ଜଗତସିଂହପୁର ଜିଲ୍ଲାରେ କାୟବିସ୍ତାର କଲାଣି ଧଳାଜହର ବେପାର। ଜିଲ୍ଲାର କେତେକ ସ୍ଥାନରୁ ଏହି ଧଳାଜହର ବେପାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହାର ଚେର ପାଉନି ପୋଲିସ୍ ଓ ଅବକାରୀ ବିଭାଗ ବୋଲି କୁହାଯାଉଛି। ଏମିତିକି ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଗାଁ ଗହଳିରେ ମଧ୍ୟ ଏହି ଧଳାଜହର ବେପାର କାୟାବିସ୍ତାର କରିବାରେ ଲାଗଲାଣିି। ଫଳରେ ଆଜିର ଯୁବପିଢ଼ି ଏହି ନିଶାକୁ ସେବନ କରି ବିପଥଗାମୀ ହେବାସହିତ ନିଜର ହିତାହିତ ଗ୍ୟାନ ଭୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଇବାକୁ ମଧ୍ୟ ପଛାଉନାହାଁନ୍ତି । ବାଲିକୁଦା ଅଂଚଳରେ ଚାଲୁଥିବା ଏହି ଧଳାଜହର କାରବାରକୁ ରୋକିବାକୁ ସକ୍ରିୟ ହୋଇଉଠିଛି ବାଲିକୁଦା ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଲିକୁଦା ଅବକାରୀ ବିଭାଗ ଓ ବାଲିକୁଦା ପୋଲିସ୍ ପକ୍ଷରୁ ଆଜି ମିଳିତ ଭାବେ ଅଚାନକ ଚଢ଼ାଉ କରାଯାଇ ବ୍ରାଉନସୁଗାର୍ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନାନୁଯାୟୀ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ସ୍ଥିତ ବ୍ରାହ୍ମଣଡିହୀ ବଜାରରେ ବ୍ରାଉନସୁଗାର୍ ବେପାର ଚାଲୁଥିବା ଖବର ପାଇ ବାଲିକୁଦା ଅବକାରୀ ବିଭାଗ ଓ ବାଲିକୁଦା ପୋଲିସ୍ ପକ୍ଷରୁ ଆଜି ସକାଳ ପ୍ରାୟ ୮ଟା ବେଳେ ଅଚାନକ ଚଢାଉ କରାଯାଇଥିଲା। ଏହି ଚଢାଉରେ ଉକ୍ତ ପଞ୍ଚାୟତ ସ୍ଥିତ ବ୍ରାହ୍ମଣଡିହି ଗ୍ରାମର ପଦ୍ମନାଭ ପଣ୍ଡାଙ୍କ ପୁଅ ବାବାଜୀ ପଣ୍ଡାଙ୍କୁ ବ୍ରାହ୍ମଣଡିହି ବଜାରରୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ୧୦ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗାର୍ ଜବତ କରାଯାଇଛି। ଏହି ଚଢ଼ାଉରେ ବାଲିକୁଦା ଅବକାରୀ ବିଭାଗର ଏସ୍. ଆଇ ନିଳିମା ଜୟନ୍ତୀ ସ୍ୱାଇଁ, ଜଗତସିଂହପୁର ସଦର ଏସ୍.ଆଇ ସସ୍ମିତା ହୋତା, ଚିତ୍ତ ରଞ୍ଜନ ଦାସ, ହିମାଂଶୁ ନାୟକ, ନବଘନ ମାରାଣ୍ଡି, କଲ୍ୟାଣୀ ସେଠୀ, ସବିତା ନାୟକ,ବାଲିକୁଦା ଥାନା ଏ.ଏସ୍.ଆଇ ନିତ୍ୟାନନ୍ଦ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ରିପୋର୍ଟ – ପ୍ରତାପ କୁମାର ସିଂହ ।

Comments (0)
Add Comment