ବାଲିଆପାଳ ବ୍ଲକରେ ବନ୍ୟା ବିତ୍ପାତ ୮ଟି ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଗ୍ରାମ ପ୍ରଭାବିତ ।

ବାଲିଆପାଳ,୧୮/୦୯:ଚଳିତ ବର୍ଷ ସୂବର୍ଣ୍ଣରେଖା ନଦୀରେ ପ୍ରଥମ ବଡ ବନ୍ୟା ଆସି ବାଲିଆପାଳ ବ୍ଲକରେ ପ୍ରଭୂତ କ୍ଷତି ପହଁଚାଇଛି । ଏହି ନଦୀର ବିପଦ ସଙ୍କେତ ରାଜଘାଟ ଠାରେ ୧୦.୩୬ ମିଟର ରହିଥିବା ବେଳେ ଆଜି ତାହା ୧୧.୬୧ ମିଟର ଛୁଇଁଥିଲା । ଉପର ମୁଣ୍ଡରେ ଜଳସ୍ତର କମୁଥିଲେ ମଧ୍ୟ ତଳ ମୁଣ୍ଡରେ ଥିବା ବାଲିଆପାଳ ବ୍ଲକରେ ଜଳସ୍ତର ବୃଦ୍ଧି ପାଉଛି । ସରକାରୀ ରିପୋର୍ଟ ଅନୁସାରେ ୮ଟି ପଞ୍ଚାୟତର ୪୦ଟି ଗ୍ରାମ ପ୍ରଭାବିତ ହୋଇଛି । ପ୍ରକୃତପକ୍ଷେ ଏହି ବ୍ଲକର ୧୦ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ଗ୍ରାମ ବନ୍ଯାରେ ପ୍ରଭାବିତ ହୋଇଛି।ସେହି ପଞ୍ଚାୟତ ଗୁଡିକ ହେଲା କୁମ୍ଭାରୀ, ନିଖିରା,ଘଣ୍ଟୁଆ,ଅସ୍ତି,ବାଲିଆପାଳ, ବିଷ୍ନୁପୁର,ମଧୁପୁରା,ଜାମକୁଣ୍ଡା,ଦେଭୋଗ, ଶ୍ରୀରାମପୁର। କୁମ୍ଭାରୀ ପଞ୍ଚାୟତର ନୂଆସାହି, କୁମ୍ଭାରୀ,ଝଲଝଲିଆ, ଚକଜମାଳପୁର,ନିଖିରା ପଞ୍ଚାୟତର ପାଳବେଗୁନିଆ,ଚଡପାଳପଡା, ତଳଧାନଦା, ପାଳପଡା, ଘଣ୍ଟୁଆ ପଞ୍ଚାୟତର ଘଣ୍ଟୁଆ, ମାଳିକୁଦ,ଧରମଦୁୁଆର,ବଡକସପା, ଦେଭୋଗ ପଞ୍ଚାୟତର ନୂଆଗାଁ, ବିଷ୍ନୁପୁର, ଡୁମିଚକ,ଅସ୍ତି ପଞ୍ଚାୟତର ପାଳ ଚମ୍ପେଇ, ଛୋଟକାନପୁର, ସରଦାର ସାହି,ସୂର୍ଯ୍ୟାପୁର, ବଢାପାଳ, ଡାଳୁଆ-୨,ଡାଳୁଆ-୧,କଣ୍ଟାବଣି, ବଡମଇଁଁଷାଡି,ପାରଦୀପା,ପାରୁଳିଆ,ବାଲିଆପାଳ ପଞ୍ଚାୟତର ଆଠବାଟିଆ,ତଳ ବାଲିଆପାଳ,ସୁଙ୍ଗମୁହଁ,କୁଦମାନସିଂ ଚଡ, ମନୁନଗର, ବିଷ୍ନୁପୁର ପଞ୍ଚାୟତର ରସଲପୁର, ରାଉତୁରାପୁର,ନୟାବାଲି, ଇକଡପାଳ, ଜାମକୁଣ୍ଡା ପଞ୍ଚାୟତର କୁହ୍ଲାଚଡ, ତାଳପଦା, ନଖପାଳ,ଜୁଣପାହି,ମଧୁପୁରା ପଞ୍ଚାୟତର ଚଡବସ୍ତ କାଳରୁଇ,ଚୌଧୁରିକୁ,ପଞ୍ଜୁରୁଖି ପ୍ରଭୃତି ଗ୍ରାମ ସମ୍ପର୍ଣ୍ଣ ପାଣି ଘେରରେ ରହିଛି । ଏହି ସବୁ ଗ୍ରାମରେ ଥିବା ଗ୍ରାମ୍ୟ ରାସ୍ତା ଗୁଡିକ,ପାଣିରେ ବୁଡି ରହିଥିବାରୁ ଲୋକଙ୍କ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି । ଅଧିକାଂଶ ଲୋକଙ୍କ ଘରେ ଗତ କାଲି ରାତିରୁ ଚୁଲି ଜଳିନି । ନଳକୂପ ଗୁଡିକ ପାଣିରେ ବୁଡି ରହିଥିବାରୁ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ଡଙ୍ଗାରେ ଯାଇ ୨-୩କି.ମି. ଦୂରରୁ ପିଇବା ପାଣି ଆଣୁଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ପାଉଚ ଗଚ୍ଛିତ ଥିବା କୁହାଯାଉଥିଲେ ମଧ୍ୟ କୈାଣସି ଠାରେ ଏହା ଲୋକଙ୍କୁ ଦିଆ ଯାଇନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଅସ୍ତି,ବାଲିଆପାଳ, ବିଷ୍ନୁପୁର,ଜାମକୁଣ୍ଡା,ମଧୁପୁରା, ନିଖିରା,କୁମ୍ଭାରୀ, ଘଣ୍ଟୁଆ ପ୍ରଭୃତି ପଞ୍ଚାୟତର ୨୬ଟି କ୍ୟାମ୍ପରେ ୭୧୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବିଡିଓ ସୂଚନା ଦେଇଛନ୍ତି । ତେବେ ବହୁ ଲୋକଙ୍କ ଘର ଗୁଡିକ ଓଦା ଓ ସନ୍ତସନ୍ତିଆ ଥିବାରୁ ଏହି ଲୋକମାନେ ରନ୍ଧାବଢା କରି ପାରୁନାହାନ୍ତି । ଘରେ ଯାହା ଶୁଖିଲା ଖାଦ୍ୟ ଥିଲା ତାହା ଖାଇ ରହିଛନ୍ତି । ପ୍ରଶାସନ ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚିନଥିବା ପାଳଜାମକୁଣ୍ଡା,ବଡତାଳପଦା, ବିଷ୍ଣୁପୁର ପ୍ରଭୃତି ଗ୍ରାମର ବନ୍ୟା ପ୍ରଭାବିତ ମାନେ ଅଭିଯୋଗ କରିଛନ୍ତି । ସେଗୁଡିକ ମଧ୍ୟ ସରିବାକୁ ବସିଲାଣି । ସେହିପରି ଗୃହ ପାଳିତ ପଶୁ ମାନେ ୨ ଦିନ ଧରି ଭୋକିଲା ହୋଇ ରହିଛନ୍ତି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ୫ଟି ପାଓାର ବୋଟ ଏବଂ ୯ଟି ଦେଶୀ ଡଙ୍ଗାର ବ୍ୟବସ୍ଥା କରାଯାଇଛି । ସେହି ୨ଟି ଓଡ୍ରାଫ ଟିମ ସମେତ ୪ଟି ଅଘ୍ନିଶମ ଟିମ ଲୋକଙ୍କୁ ସୁରକ୍ଷିତ ଯାତାୟତ ପାଇଁ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ ବିଳମ୍ବିତ ମୈାସୁମି ଯୋଗୁୁଁ ଲୋକେ ଡେରିରେ ରୁଆ କାର୍ଯ୍ୟ ଶେଷ କରିଥିଲେ । ଏହି ବନ୍ୟାରେ ତାହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସମ୍ଭାବନା ଦେଖାଦେଇଛି । ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ତହସିଲଦାର ଜନକ କୁମାର ନାୟକ ପାଓରବୋଟ ବିଭିନ୍ନ ବନ୍ୟା ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା କମିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ଲୋକଙ୍କୁ ରିଲିଫ ଓ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଡିଓ ଶ୍ରୀ ପଣ୍ଡା କହିଛନ୍ତି । ଆଜି ସନ୍ଧ୍ୟାରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଜେପି ନେତା ରବୀନ୍ଦ୍ର ନାଥ ଅଣ୍ଡିଆ ସମେତ ବିଜେପିର ପ୍ରତିନିଧି ଦଳ ବନ୍ୟା ଅଞ୍ଚଳ ପରିଦର୍ଶନ କରି ବନ୍ୟାର ସମୀକ୍ଷା କରିଛନ୍ତିା ସେହିପରି ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ନିର୍ଦ୍ଦେଶରେ ବିଜେଡିର ଏକ ପ୍ରତିନିଧି ଦଳ ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ।ସେହିପରି କଂଗ୍ରେସ ଦଳର ବିଧାୟକ ପ୍ରାଥୀ ବିଜନ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ,ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ପ୍ରମୁଖ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ।ରାଜଘାଟ ଠାରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ, ବାଲିଆପାଳ ବ୍ଲକରେ ପାଣି କମିବାକୁ ଆହୁରି ୨ ରୁ ୩ ଦିନ ଲାଗିବ । ତେଣୁ ଲୋକେ ଏହି ସମୟରେ ଅଧିକ ଅସୁବିଧାରେ ରହିବେ ।

Comments (0)
Add Comment