ଏଠି ସ୍ବର୍ଗ – ଏଠି ନର୍କ
ପୁଳା ପୁଳା ସୁଖ ଦୁଃଖର
ଚାରଣ ଭୂଇଁରେ
କିଏ ଶୋଇଛି କ୍ଳାନ୍ତ ହୋଇ
ନିରିହ ଶିଶୁ ପରି….
ସଂଜ ନଇଁ ଗଲା ପରେ
ବାରଙ୍ଗାର ଛିଣ୍ଡା ମସିଣାରେ
ବିଦଗ୍ଧ ରସିକର
ଆର୍ତ୍ତନାଦ- ମୁଠାଏ ସ୍ବପ୍ନକୁ
ସାଉଁଟିର ନିଶାରେ ମଗ୍ନ ମାନସ…!!
ଏଠି ସବୁ ମିଛ….
ମିଛ ପ୍ରେମ : ମିଛ ପ୍ରେମିକା
ମିଛ ହସ: ମିଛ ପ୍ରତିଶ୍ରୁତି
ମିଛ ପରିଚୟ : କିଣା ବିକା ଦେହର
ମିଛ ଯୌବନ…..
ପୋଚା ମାଂସର ଆଇଗିଣିଆ ଗନ୍ଧ
ନାଳ ନର୍ଦ୍ଦମା ଦୁର୍ଗନ୍ଧରେ
ମଲ୍ଲୀ ଫୁଲିଲା ଆଘ୍ରାଣର ଅନୁଭବ….!!
ଏ ରାତି
ହୁଏ ତ କାହା ପାଇଁ ରଙ୍ଗୀନ ହୋଇ ପାରେ
କିନ୍ତୁ ବାରଙ୍ଗନର ଗ୍ରାହକ ଚିନ୍ତା :-
“ଆସ ଆସ
ଅନ୍ଧାର ଭିତରେ କିଏ ହଜିବାର
ଅଛି ଆସ….
କିଏ ଦେଖିବ ଆସ
ଅମାବାସ୍ୟାର ଚନ୍ଦ୍ର ”
ହାତ ଟଣାଟଣି
ବିକିବାକୁ ଦେହ….!!
ସଂଧ୍ୟାରୁ ସଜେଇ ହୋଇଥିବା ମୁହଁ
ସ୍ବେଦ ସ୍ରୋତରେ
ଧୋଇ ନେଇ ଯାଇଛି-କୃତ୍ରିମ ପ୍ରଲେପ
କେଶ ବିନ୍ୟାସ ସବୁ ମୁକୁଳିତ
ବିଭତ୍ସ ବାରଙ୍ଗନା
ପୋଚା ମାଂସ ଖିଆ ଶାଗୁଣା ପଞ୍ଝାରେ ;
ପେଟ ପାଟଣାରେ
ରାତିଟା କା ପାଇଁ ଅଶ୍ରୁଳ ସରିତ
ଆଉ କାହା ପାଇଁ ଦେହ ଭୋକ
ମେଣ୍ଟାଇବାର ବିଚିତ୍ର ଆନନ୍ଦ…..!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)