ମାଲକାନଗିରି, ୧୪/୦୪(ପିପିଟି) :ଭାରତୀୟ ସମ୍ବିଧାନର ବିଶିଷ୍ଟ ରୂପକାର, ସମାଜ ବିଜ୍ଞାନୀ, ଶିକ୍ଷାବିତ୍, ଆଇନଜୀବୀ, ସମାଜ ସଂସ୍କାରକ, ସୁଲେଖକ ଓ ମାନବିକ ଅଧିକାରର ବଡ ପ୍ରବକ୍ତା ଡଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ୧୩୩ ତମ ଜନ୍ମ ଜୟନ୍ତୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବସଷ୍ଟାଣ୍ଡ ସ୍ଥିତ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଭାରପ୍ରାପ୍ତ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ଉପସ୍ଥିତ ରହି ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେପରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ସଭା ଆୟୋଜନ କରାଯାଇ ସ୍ମୃତିଚାରଣ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଆମ୍ବେଦକର ବହୁ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ ତାଙ୍କ ଜୀବନ ଥିଲା ବହୁ ବିପର୍ଯ୍ୟୟ ଓ ନୈରାଶ୍ୟର କାହାଣୀ । ସେ ଏକ ଦଳିତ ପରିବାରରେ ଜନ୍ମ ହୋଇ ବହୁ ଅଭାବ, ଅସୁବିଧା, ଅସମ୍ମାନ ଓ ଭେଦଭାବକୁ ସାମ୍ନା କରିଥିଲେ । ଦଳିତ ମାନଙ୍କର ମାନବିକ ଅଧିକାର, ସାମାଜିକ ନ୍ୟାୟ ଓ ଏକ ଭେଦଭାବ ମୁକ୍ତ ସମାଜ ନିର୍ମାଣ ପାଇଁ ସେ ଜୀବନ ସାରା ସଂଗ୍ରାମ ଜାରି ରଖିଥିଲେ । ବାବା ସାହେବ୍ ଆମ୍ବେଦକର ସମାଜର ଅସ୍ପୃଶ୍ୟତା ଦୂର କରିବା, ଦଳିତ ମାନଙ୍କ ଅଧିକାରକୁ ସମ୍ବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ବଞ୍ଚିତ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସମ୍ବିଧାନ ସଭାର ସଭ୍ୟ ହେବାକୁ ଆଗ୍ରହୀ ଥିଲେ ଓ ପରିଶେଷରେ ପଶ୍ଚିମ ବଙ୍ଗରୁ ସମ୍ବିଧାନ ସଭାର ସଭ୍ୟରୂପେ ମନୋନୀତ ହୋଇଥିଲେ ।ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ୍ବେଦକର ସମ୍ବିଧାନକୁ ତର୍ଜମା କରି ସମାଜରୁ ଅସ୍ପୃଶ୍ୟତା ନିବାରଣ କରିପାରିଛନ୍ତି । ତାଙ୍କ ଅସୀମ ଜ୍ଞାନ ପାଖରେ ଆଜି ଆମେ ନତମସ୍ତକ । ଆମ୍ବେକରଙ୍କ ଯୋଗୁଁ ଆଜି ସମାଜର ବିକାଶ ହୋଇପାରିଛି । ତାଙ୍କ କର୍ମ ଆଜି ତାଙ୍କୁ ଅମର କରି ରଖିପାରିଛି । ସମାଜରେ ଆଜି ଜାତିକୁ ନୁହେଁ ଜ୍ଞାନକୁ ପୂଜା କରାଯାଉଛି । ଆଜି ସମାଜରେ ବାଛନ୍ଦ ନାହିଁ , ଏହା କେବଳ ସମ୍ଭବ ହୋଇପାରିଛି ତାଙ୍କର ଚିନ୍ତାଧାରା ଯୋଗୁଁ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଆମ୍ବେଦକର ଜଣେ ଦଳିତ, ନିଶ୍ପେଷିତ ବ୍ୟକ୍ତି ଥିଲେ । ତାଙ୍କ ଜୀବନ ବହୁ ସଂଘର୍ଷମୟ ଥିଲା । ଅନେକ ଘାତ ପ୍ରତିଘାତରେ ସେ ପାଠ ପଢି ଅନେକ ଶିକ୍ଷାଗତ ଯୋଗ୍ୟତାର ଅଧି୍କାରୀ ହୋଇପାରିଥିଲେ । ନାନା ବିବିଧତା ମଧ୍ୟରେ ଏକ ସ୍ବାଧୀନ ସଂହତିପୂର୍ଣ୍ଣ ରାଷ୍ଟ୍ର ନିର୍ମାଣ କରିବା ଆମ୍ବେଦକରଙ୍କ ଲକ୍ଷ୍ୟ ଥିଲା । ସମସ୍ତ ନାଗରିକଙ୍କର ଆତ୍ମ ସମ୍ମାନ, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରଶୀଳ ମାନବବାଦୀ ଆଭିମୁଖ୍ଯ ଦେଶ ପାଇଁ ପ୍ରେରଣାଦାୟୀ ଆଦର୍ଶ ହୋଇ ରହିବ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପରିଚାଳନା କରିଥିଲେ । ବକ୍ତୃତା ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ପୁରସ୍କୃତ କରଯାଇଥିଲା । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ କଲେଜର ଛାତ୍ରମାନେ ଉପସ୍ଥିତ ଥିଲେ। ସେହିପରି ସ୍ମୃତିଚାରଣ ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)