ବାପା ମା’ଙ୍କ ମୃତ୍ୟୁ ପରେ ୧୨ ବର୍ଷର ପୁଅ ଅନାଥ ।

ମାଲକାନଗିରି,୧୨/୦୬(ପିପିଟି): ବର୍ଷକ ତଳେ ବାପା ଏବଂ ୧୦ ଦିନ ତଳେ ମା’ ଆର ପାରିକୁ ଚାଲିଗଲେ । ନିଜର ବୋଲି କେହି ନଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ଝାଟି ମାଟି କୁଡ଼ିଆରେ ଏକାକୀ ରହୁଛି କାର୍ତ୍ତିକ । ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ବାପା , ମା’ଙ୍କୁ ହରାଇ ସର୍ବଦା ଲୋତକାଶ୍ରୁରେ ପରିପୂର୍ଣ୍ଣ ତା’ କରୁଣ କାହାଣି । ପାଠ ପଢ଼ି ଚାକିରି କରିବା ପାଇଁ ଦେଖିଥିଲା ଅନେକ ସ୍ବପ୍ନ । କିନ୍ତୁ ମା’ଙ୍କ ମୃତ୍ୟୁ ପରେ ପାଠ ପଢ଼ାରେ ଡ଼ୋରି ବନ୍ଧା ହୋଇ ଯାଇଛି ଚିରଦିନ । ସାହି ପଡ଼ିଶା ଯାହା ଦେଉଛନ୍ତି ସେତିକିରେ ପେଟ ପୂରୁଛି । ଅସହାୟ ଅବସ୍ଥାରେ ରହିଥିବା ଏଭଳି ଜଣେ ଅନାଥ ନାବାଳକ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଗ୍ରାମର କୋଣ୍ଡେଲ ଦୋରା, ବୟସ ୧୨ ବର୍ଷ । ସୋମନାଥପୁର ଗ୍ରାମରେ ବାପା ଓ ମା’ଙ୍କ ସହିତ ହସଖୁସିରେ ରହୁଥିଲେ କାର୍ତ୍ତିକ ଦୋରା । ଗାଁ ବିଦ୍ୟାଳୟରେ ପାଠ ପଢ଼ିବା ସହ ସାଙ୍ଗ ସାଥୀଙ୍କ ସହ ଖେଳାବୁଲା କରୁଥିଲେ । ତେବେ ବର୍ଷକ ତଳେ ବାପାଙ୍କ ମୃତ୍ୟୁ ଘଟିବା ପରେ କାର୍ତ୍ତିକଙ୍କ ଲାଲନପାଳନ ଦାୟିତ୍ବ ପଡ଼ିଥିଲା ମା’ଙ୍କ ଉପରେ । ପୁଅକୁ ବଡ଼ ମଣିଷ କରିବା ପାଇଁ ମା ’ କୁଲି କରୁଥିଲେ । ଚଳିତ ବର୍ଷ କାର୍ତ୍ତିକ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ । କିନ୍ତୁ ୧୦ଦିନ ତଳେ ମା ’ ଆରପାରିକୁ ଚାଲିଯିବା ପରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି କାର୍ତ୍ତିକ । ମା’ଙ୍କ ମୃତ୍ୟୁ ପରେ ସେ ପାଠ ପଢ଼ା ଛାଡ଼ି ଦେଇଛି। ନିଜର କେହି ନଥିବାରୁ ଏକ ଜୀର୍ଣ୍ଣଶୀର୍ଣ୍ଣ ଝାଟିମାଟି କୁଡ଼ିଆରେ ସେ ଏକାକୀ ନେଇଛି ଆଶ୍ରୟ । ସକାଳ ପାଇବା ମାତ୍ରେ କିପରି ଦୁଇ ମୁଠା ଖାଇବାକୁ ମିଳିବ ତାହାକୁ ଅନାଇ ବସି ରହୁଛନ୍ତି କାହାର ହାତ ଟେକା ଅନ୍ନକୁ କାର୍ତ୍ତିକ । ଅନ୍ୟପଟେ ବାପା ଓ ମା’ଙ୍କୁ ମନେ ପକାଇ ସେ ସର୍ବଦା କାନ୍ଦୁଛନ୍ତି । କାର୍ତ୍ତିକଙ୍କ ଏଭଳି ଦୁଃଖ ଦେଖି ଗ୍ରାମବାସୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ । କାର୍ତ୍ତିକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ଥଇଥାନ କରିବା ପାଇଁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଏହି ବିଷୟ ଜାଣିବା ପରେ ଅତିଶୀଘ୍ର କାର୍ତ୍ତିକଙ୍କୁ ଉଦ୍ଧାର କରି ହୋଷ୍ଟେଲରେ ରଖାଯିବା ସହ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଯଦି ପ୍ରଶାସନ ଅତି ଶୀଘ୍ର କାର୍ତ୍ତିକଙ୍କୁ ଉଦ୍ଧାର କରି ଥଇଥାନ କରେ ତେବେ ତାଙ୍କ ସ୍ବପ୍ନ ପୂରଣ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment