ବାତ୍ୟା ‘ଦାନା’ ପ୍ରଭାବରେ ଅପରାହ୍ନରୁ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା;ଶୂନ ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ।

ବାଲେଶ୍ବର,୨୩/୧୦: ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାର ମଧ୍ୟମ ସ୍ଥଳ ଭିତରକନିକା ଠାରେ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବାକୁ ଯାଉଥିବା ସାମୁଦ୍ରିକ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବାଲେଶ୍ବର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅପରାହ୍ନରେ ବର୍ଷା ଆରମ୍ଭ ଠାରୁ ବାତ୍ୟାର ପ୍ରଭାବ ଅନୁଭୁତ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ରେଡ୍‌ ଜୋନରେ ଥିବା ଏହି ଜିଲାରେ ଶୂନ୍ୟମୃତ୍ୟୁ ସ୍ଥିତି ବଜାୟ ରଖିବା ପାଇଁ ସବୁ ଦିଗକୁ ଗୁରୁତ୍ବ ଦିଆଯାଉଛି। ଜିଲ୍ଲାରେ ବାତ୍ୟା ମୁକାବିଲାର ସୁପରିଚାଳନା ପାଇଁ ରାଜ୍ୟ ଲଘୁ ଖଣିଜ ବିଭାଗ ନି​‌େ​‌ର୍ଦ୍ଦଶକ ତଥା ପୂର୍ବତନ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ବାଲେଶ୍ବର ପହଞ୍ଚି ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା ଜାରି ରଖିଛନ୍ତି। ଏଠାରେ ପୂର୍ବରୁ ଜିଲାପାଳ ଭାବେ ବିତାଇ ଥିବା ଶ୍ରୀ ଚକ୍ରବର୍ତ୍ତୀ ନିଜ ଅଭିଜ୍ଞତାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ବିଶେଷ କରି ବାତ୍ୟାର ପ୍ରକୋପରୁ ବର୍ତ୍ତିବାର ବିଭିନ୍ନ ଦିଗ ସମ୍ପର୍କରେ ସେ ପରାମର୍ଶ ଦେଉଛନ୍ତି।

ଅନ୍ୟପକ୍ଷରେ ଅପରାହ୍ନରୁ ଜିଲାରେ ବର୍ଷା ଆରମ୍ଭ ହେବା ପରେ ତଳିଆ ଅଞ୍ଚଳ ଓ ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମରୁ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ଜାରି ରହିଛି। ଜିଲାର ଭୋଗରାଇ,ଜଳେଶ୍ବର,ବାଲିଆପାଳ, ସଦର, ବସ୍ତା, ରେମୁଣା ଓ ବାହାନଗା ପ୍ରଭୃତି ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ଏବେ ସ୍ଥାନାନ୍ତର କରାଯାଉଛି। ଏହି କାର୍ଯ୍ୟ ଆଜି ରାତିସାରା ଚାଲିବ ବୋଲି କୁହାଯାଉଛି। ସଂଧ୍ୟା ସୁଦ୍ଧା ୩୫ ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳରୁ ୨ଲକ୍ଷ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଲକ୍ଷ୍ୟ ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଏହି ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ସେ କହିଛନ୍ତି। ଜିଲାର ବାତ୍ୟା ପ୍ରବଣ ପ୍ରତି ପଞ୍ଚାୟତ ପାଇଁ ଜଣେ ଲେଖାଏଁ ସରକାରୀ କର୍ମଚାରୀ ନିଯୁକ୍ତ ହୋଇଥିବାବେଳେ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ କର୍ମଚାରୀ ତାଙ୍କୁ ସହଯୋଗ କରୁଛନ୍ତି। ସବୁ ଆଶ୍ରୟ ସ୍ଥଳରେ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଛି। ଆଶ୍ରୟ ସ୍ଥଳକୁ ଜଗିବା ପାଇଁ ପୁଲିସ ମୁତୟନ ମଧ୍ୟ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଜିଲାରେ ୬ ଟି ଓଡ୍ରାଫ ଓ ୩ଟି ଏନଡିଆରଫ ଟିମ ସକାଳେ ଉପକୂଳବର୍ତ୍ତୀ ଅଞ୍ଚଳକୁ ପଠାଇ ଦିଆଯାଇଛି। ​‌ତେବେ ବାତ୍ୟା ସମୟରେ ଗଛ ପଡ଼ିବା ଓ ଅନ୍ୟାନ୍ୟ କ୍ଷୟ କ୍ଷତି ବାବଦ ତୁରନ୍ତ ରାସ୍ତାଘାଟ ସଫା କରିବା ପାଇଁ ଗୋଟିଏ ଏନଡିଆରଏଫ ଓ ଦୁଇଟି ଓଡ୍ରାଫ ଟିମ ରିଜର୍ଭ ରଖା ଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ସୁଦ୍ଧା ଜିଲ୍ଲାର ୧୪୪ ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ କଲେଜ ସମେତ କମ୍ୟୁନିଟି ସେଣ୍ଟର ପ୍ରଭୃତି ୭୦୦ ଟି ଅତିରିକ୍ତ ଆଶ୍ରୟସ୍ଥଳକୁ ବ୍ୟବହାର ଉପଯୋଗୀ କରାଯାଇଛି। ବିଶେଷ କରି ଲାଇଟ,ପାନୀୟ ଜଳ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଉପଲବ୍ଧ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ସଂଧ୍ୟାରୁ କିଛି ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ଲୋକଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment