କୋଦଳା,୨୭/୧୦(ପିପିଟି):ଦୀପାବଳି ପାଖେଇ ଆସୁଥିବା ବେଳେ ବେଆଇନ ବାଣ ତିଆରି ସହିତ ବିକ୍ରି ପାଇଁ ଗଛିତ ରଖୁଥିବା ନଜର ଆସୁଛି । ଏହାକୁ ନେଇ ବେଗୁନିଆପଡାରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ଆଜି ସନ୍ଧ୍ୟାରେ ବାଣ ବିସ୍ପୋରଣ ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାଅପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ଜଗତି ସାହି ଠାରେ ସନ୍ଧ୍ୟା ୬.୩୦ ମିନଟ ସମୟରେ ଗୋଟିଏ ଘରେ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା!ବିସ୍ପୋରଣ ଶବ୍ଦ ଶୁଣି କିଛି ସମୟ ପରେ ଘଟଣା ସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କ କହିବା ପ୍ରକାରେ ଜଗତି ସାହି ରାଜୁ ପ୍ରଧାନଙ୍କ ପୁତ୍ର ଜିତୁ ପ୍ରଧାନ (୩୫)ନିଜ ଛାତଘର ମଧ୍ୟରେ ଅମାବାସ୍ୟା ପାଇଁ ବାଣ ଭିଡୁଥିବା ସମୟରେ କୌଣସି କାରଣ ବଶତଃ ବିସ୍ପୋରଣ ଘଟିଥିଲା । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଘରର ଗୋଟିଏ କାନ୍ଥ ଭୁଶୁଡି ପଡ଼ିଯାଇଥିବା ବେଳେ ଘରର କାଠ ଦୁଲ୍ଲା ସହିତ ଆଶାବାବପାତ୍ର ୨୦୦ ମିଟର ପର୍ଯ୍ୟନ୍ତ ଛିଟିକି ପଡିଥିଲା । ପଡିଶାଘର ଛାତ ଉପରେ ଶୋଇଥିବା କଙ୍ଗୁରୁ ପୋଲେଇଙ୍କ ପୁତ୍ର ରାଜା ପୋଲେଇ (୨୨)ଉପରେ ଛାତ ମଡ଼େଇ ହୋଇଯାଇ ସେ ମଧ୍ୟ ଗୁରୁତର ହୋଇଥିଲା । ଲୋକମାନେ ସେଠାରେ ପହଞ୍ଚି କ୍ଷତବିକ୍ଷତ ଅର୍ଦ୍ଧଦଗ୍ଧ ଜିତୁକୁ ଉଦ୍ଧାର କରି କୋଦଳା ମେଡିକାଲକୁ ନେଇଥିବା ବେଳେ ରାଜା କୁ ଖଲ୍ଲିକୋଟ ମେଡିକାଲକୁ ପଠାଇଥିଲେ । କିନ୍ତୁ କୋଦଳା ମେଡିକାଲରେ ଜିତୁ କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ କୋଦଳା ଓ ବେଗୁନିଆପଡା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ଅନୁସନ୍ଧାନ ଜାରି ରଖିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)