କବିସୂର୍ଯ୍ୟନଗର,୧୧/୧୧(ପିପିଟି): ପ୍ରକୃତି ପ୍ରେମୀଙ୍କ ପକ୍ଷରୁ ଆନନ୍ଦ ଓ ଖୁସିର ପର୍ବ ଦୀପାବଳୀରେ ବାଣକୁ ବର୍ଜ୍ଜନ କରି ବୃକ୍ଷ ରୋପଣ କରିବା ପାଇଁ କବିସୂର୍ଯ୍ୟନଗର ଏକ ସଚେତନ ସଭା ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରୀତିମତ ବୃଦ୍ଧି ପାଉଥିବା ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆତସବାଜି ବ୍ୟବହାର ବର୍ଜ୍ଜନ କରି ବୃକ୍ଷ ରୋପଣ ସହ ପ୍ରକୃତିର ସୁରକ୍ଷା କରିବା ପାଇଁ କବିସୂର୍ଯ୍ୟନଗର ସଚେତନ ନାଗରିକ ମଞ୍ଚ ପକ୍ଷରୁ ନିବେଦନ କରି ଚାରା ବଣ୍ଟନ କରାଯାଇଥିଲା। ଆମ ପରିବେଶ, ପ୍ରକୃତି ଓ ମାନବ ଜଗତ ଅତି ମୂଲ୍ୟବାନ କିନ୍ତୁ ଆମର କ୍ଷଣିକ ଖୁସୀ ପାଇଁ ବାଣ ଫୁଟାଇ ପ୍ରକୃତିର ବହୁ କ୍ଷତି ସାଧନ କରୁଛନ୍ତି । ବିଶ୍ବ ତାପମାତ୍ରା ବୃଦ୍ଧି ବିଶ୍ବ ସମୁଦାୟ ପାଇଁ ଆଜି ଘୋର ଚିନ୍ତା ଓ ଉଦବେଗର ବିଷୟ । ବାୟୁ ପ୍ରଦୂଷଣ ଶୀର୍ଷ ସ୍ତରରେ ପହଞ୍ଚିଛି। ତାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀ ସହର । ଆମ ଜୀବଦଶା ମଧ୍ୟରେ ଋତୁଚକ୍ରରେ ଘୋର ପରିବର୍ତ୍ତନ ଦେଖୁଛନ୍ତି। ପ୍ରତିବର୍ଷ ଶୀତ ଋତୁରେ ଥଣ୍ଡା କମ୍ ହୋଇ ତାପମାତ୍ରା ବୃଦ୍ଧି ଘଟି ସବୁସମୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଅଛି। କେତେବେଳେ ବାତ୍ୟା ତ କେତେବେଳେ ବନ୍ୟା ଆଉ ମରୁଡି ର ପଦଧ୍ବନି । ଏ ବର୍ଷ ସ୍ଵଳ୍ପ ବୃଷ୍ଟିପାତ ହୋଇ ଚାଷୀର ଫସଲ ଉଜୁଡି ଯାଇଛି। ଋଣଭାରରେ ଚାଷୀ ଆଜି ଚିନ୍ତିତ। କମ୍ ଅମଳକ୍ଷମ ହେଲେ ଜନସାଧାରଣ ଙ୍କ ଉପରେ ମହଙ୍ଗା ବୋଝ ନିଶ୍ଚିତ ପଡ଼ିବ। ଏ ସମସ୍ତ ଘଟଣାକ୍ରମରୁ ଆମେ ଶିକ୍ଷା ନେବା ଉଚିତ୍। ବାଣ କୁ ବାରଣ କରି ବୃକ୍ଷ ରୋପଣକୁ ଧ୍ୟାନ ଦେଲେ ପ୍ରକୃତି ର ସନ୍ତୁଳନ ରହିବା ସହ ଜୀବଜଗତ ପାଇଁ ଖୁସୀ ସ୍ଥାପନ ହୋଇପାରିବ। ଆସନ୍ତୁ ଆମେ ସଂକଳ୍ପ ନେବା ବାଣକୁ ବର୍ଜ୍ଜନ କରିବା ପରିବେଶ ଓ ପ୍ରକୃତି ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରି ଖୁସୀ ଓ ଆନନ୍ଦର ପର୍ବ ଦୀପାବଳୀ ରେ ପରିବାର ଓ ଜୀବଜଗତ ସହ ଖୁସି ବାଣ୍ଟିବା। ଏହି ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସାମାଜିକ କର୍ମୀ ବ୍ରହ୍ମାନନ୍ଦ ଆଚାରି, ପ୍ରକୃତି ପ୍ରେମୀ ଛାତ୍ର ଆଶିଷ ସାହୁ, ଦୁର୍ଗା ମାଧବ ନାୟକ, ବି ରବିନ୍ଦ୍ର ରେଡ୍ଡୀ, ଟୁକୁନା ଜେନା, କାଳିଆ ବେହେରା, ପପୁ ମିଶ୍ର,ବାମପନ୍ଥୀ ରାଜନୈତିକ କର୍ମୀ ଶଙ୍କର ଆଦି ସାମିଲ ହୋଇଥିଲେ।