ବ୍ରହ୍ମପୁର,୧୦/୦୮(ପିପିଟି): ପୁରୁଷୋତ୍ତମପୁର ବ୍ଳକର ବାଘଳା ପଞ୍ଚାୟତରେ ପାନୀୟଜଳ କର ଆଦାୟରେ ଦୁର୍ନୀତି ହୋଇ ଥିବା ନେଇ ଅଭିଯୋଗ ହୋଇଛି । ବାଘଳା ପଞ୍ଚାୟତର ପାନୀୟଜଳ ଯୋଗାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ତା-୩୦/୦୬/୨୦୨୬ ମଧ୍ୟରେ ପ୍ରତ୍ୟେକ ମାସରେ ପାନୀୟଜଳ କର ଆଦାୟ କରାଯାଇ ଉକ୍ତ ଟଙ୍କା କାହା ପାଖରେ ରହୁଛି ନଚେ ଉକ୍ତ ଟଙ୍କା କେଉଁ ବ୍ୟାଙ୍କ ଏକାଉଣ୍ଟରେ ଜମା ରହୁଛି ତାର ତଦନ୍ତ ହେବା ଆବଶ୍ୟକ ବୋଲି ବାଘଳା ପଞ୍ଚାୟତର ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା ତଦନ୍ତ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପଣ୍ଡା ଜିଲ୍ଲାପାଳ,ଗଞ୍ଜାମ,ପଞ୍ଚାୟତି ରାଜ ସଚିବ,ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଭିଜିଲାନ୍ସ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମଣ୍ଡଳ,ବ୍ରହ୍ମପୁରଙ୍କୁ ଲିଖିତ ଅଭିଯୋଗ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ପାନୀୟଜଳ କର ଆଦାୟ ପାଇଁ କାହାକୁ ଦାୟିତ୍ବ ଦିଆଯାଇଛି ଏବଂ କର ଆଦାୟ ରସିଦ ବହିକୁ ନେଇ ଶ୍ରୀ ପଣ୍ଡା କଥା ଉଠାଇଛନ୍ତି । ଏହି ଘଟଣାକୁ ନେଇ ଶ୍ରୀ ପଣ୍ଡା ପୁରୁଷୋତ୍ତମପୁର ବ୍ଳକକୁ ଆରଟିଆଇ ମାଗିଛନ୍ତି ।