ଟିଟିଲାଗଡ଼,୨୯/୦୧: ମହିଳା ଅବଳା ନୁହଁନ୍ତି ସବଳା । ଏହାରି ଉଦାହରଣ ସାଜିଛନ୍ତି ଟିଟିଲାଗଡ଼ ବ୍ଲକ ବାନ୍ଧୁପଲା ପଞ୍ଚାୟତ ଅନ୍ତର୍ଗତ ଦେଶିଲ ଗ୍ରାମର ମିଥିଲା ବିଶି । ଘରେ ୨ ଝିଅ ଏବଂ ଗୋଟିଏ ପୁଅ । ନା ସ୍ୱାମୀଙ୍କ କିଛି ଜମିବାଡି ଅଛି ନା କୌଣସି ସ୍ଥାୟୀ ରୋଜଗାର । ସରକାରଙ୍କ ମହିଳାଙ୍କ ପାଇଁ ମିଶନ ଶକ୍ତି ମିଶନ ପରିବାର ପାଇଁ ଅପହଞ୍ଚ ହୋଇଛି । ଏଭଳିକ୍ଷେତ୍ରରେ ମିଥିଲା ପରିବାର ସମ୍ଭାଳିବା ପାଇଁ ଆଗଭର ହୋଇଛନ୍ତି । ବିବାହ ପରେ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ଵ କାଳ ହେଲା ବାଉଁଶ କଳାକୁ ଆବୋରି ନିଜ ପରିବାର ପାଇଁ ମେରୁଦଣ୍ଡ ସାଜିଛନ୍ତି । ତାଙ୍କ ଅଭିଜ୍ଞତା ତଥା କୌଶଳ ଦେଖିବା ଲୋକଙ୍କୁ ତାଜୁବ କରିଥାଏ । ବିଶେଷ କରି ବାଡ଼ି ବଗିଚା ରୁନ୍ଧିବାକୁ ଚାଲ ବାଡ଼ ତିଆରି ପାଇଁ ତାଙ୍କ କଅଁଳ ହାତରେ ବାଉଁଶକୁ ପରସ୍ତ ପରସ୍ତ କରି ଖୋଲିବା କୌଶଳ ଚମତ୍କାର ମନେ ହୁଏ । ସ୍ୱାମୀଙ୍କ ସହ ସ୍ଥାନୀୟ ଜଙ୍ଗଲରୁ ବାଉଁଶ ସଂଗ୍ରହ କରିଥାନ୍ତି ମିଥିଲା । ତେବେ ସବୁ ସମୟରେ ବାଉଁଶ ମିଳେ ନାହିଁ । ଯାହାକି ପରିବାରଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଥାଏ। ସରକାରୀ ପ୍ରୋତ୍ସାହନ ମିଳିଲେ ବାଉଁଶ କାରିଗର ମିଥିଲା ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିବାକୁ ସକ୍ଷମ ହୋଇପାରନ୍ତେ ବୋଲି ସ୍ଥାନୀୟ ଯାଦବ ନେତା ପିପୁ ବଗର୍ତ୍ତୀ କହନ୍ତି ।