ବାଲେଶ୍ୱର,୨୮/୧୦: ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି।ଗାଁ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ କୋଟି କୋଟି ଟଙ୍କା ବ୍ଯୟ ଅଟକଳରେ ପକ୍କା ରାସ୍ତା ନିର୍ମାଣ କରିବା ସହିତ ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରୁଛନ୍ତି। ମାତ୍ର ଏବେବି ଅନେକ ଗାଁ ରହିଛି ଯେଉଁଠି ପ୍ରଶାସନର ଅବହେଳା ଯୋଗୁଁ ଲୋକେ ଯାତାୟତରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବସ୍ତା ବ୍ଲକ ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ବାଇଗଣଡ଼ିହା ଗ୍ରାମରେ। ବାଇଗଣଡ଼ିହା ଛକଠାରୁ କ୍ଲବ୍ ଘର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ଡ଼ାକ୍ତର ଦେଖାଇବା ଲାଗି ଜଣେ ବୃଦ୍ଧଙ୍କୁ ପରିବାର ଲୋକେ ୩ଶହ ମିଟର ପର୍ଯ୍ୟନ୍ତ ଖଟିଆରେ ବୋହି ନେବାକୁ ପଡ଼ିଛି। ସୂଚନା ଅନୁସାରେ ଗ୍ରାମର ଭାନୁଚରଣ ମହଲ(୭୨) ପାଖା ପାଖି ମାସେ ପୂର୍ବେ ଜ୍ବାଇଁଙ୍କ ଏକ ଅସ୍ତ୍ରୋପଚାର ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ହସ୍ପିଟାଲର ଶୌଚାଳୟକୁ ଯାଇ ଚଟାଣରେ ଗୋଡ଼ ଖସିଯିବାରୁ ପିଚାପାରି ମାଡ଼ ହୋଇଥିଲା । ଫଳରେ ବାମ ଗୋଡ଼ର ଚଟୁ ଖସିଯିବାରୁ ଭାନୁଚରଣଙ୍କୁ ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର କରାଯାଇ ଘରକୁ ଅଣାଯାଇଥିଲା।ସୋମବାର ପୁଣିଥରେ ଭାନୁଚରଣଙ୍କୁ ଚେକଅପ୍ ଲାଗି ଡ଼ାକ୍ତରଙ୍କୁ ଦେଖାଇବାର ଥିଲା। ମାତ୍ର ବାତ୍ୟା ଦାନା ପ୍ରଭାବରେ ତିନି ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଗ୍ରାମର ବାଇଗଣଡ଼ିହା ଛକଠାରୁ କ୍ଲବ୍ ଘର ପର୍ଯ୍ୟନ୍ତ ରାସ୍ତା କାଦୁଅରେ ପଚପଚ୍ ହୋଇଯାଇଥିଲା।ଫଳରେ ଭାନୁଙ୍କୁ ପରିବାର ଲୋକେ ଘରଠାରୁ ଖଟରେ ମୁଣ୍ଡାଇ ଉକ୍ତ କାଦୁଅ ପଚପଚ୍ ରାସ୍ତାରେ ବାଇଗଣଡ଼ିହା ଛକ ପର୍ଯ୍ୟନ୍ତ ଆଣି ସେଠାରୁ ହସ୍ପିଟାଲକୁ ନେଇଥିଲେ। ସୂଚନା ଥାଉକି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଜାତୀୟ ରାଜପଥ ଠାରୁ ବାଇଗଣଡ଼ିହା ଛକ ପର୍ଯ୍ୟନ୍ତ ୧.୯୦୦ କିମି ରାସ୍ତା କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ମାତ୍ର ସେଠାରୁ କ୍ଲବ ଘର ପର୍ଯ୍ୟନ୍ତ ଅବଶିଷ୍ଟ ୩ଶହ ମିଟର ରାସ୍ତା ଆଜକୁ ୨୦ ରୁ ଉର୍ଦ୍ଧ୍ବ ବର୍ଷ ଧରି ସେହିଭଳି ଶୋଚନୀୟ ଅବସ୍ଥାରେ ରହିଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ୧୫୦ ରୁ ଉର୍ଦ୍ଧ୍ବ ପରିବାରର ୭ଶହ ଲୋକଙ୍କୁ ବର୍ଷାଦିନେ କାଦୁଅ ପଚପଚ୍ ରାସ୍ତାରେ ଯିବାକୁ ପଡ଼ୁଛି। ତେଣୁ ତୁରନ୍ତ ଅବଶିଷ୍ଟ ରାସ୍ତାକୁ କଂକ୍ରିଟ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।