ବାଇକ ଭାରସାମ୍ଯ ହରାଇ ଗଛରେ ଧକ୍କା,୨ ମୃତ୍ୟୁ ।

ମାଲକାନଗିରି,୦୨/୦୭(ପିପିଟି): ମାଲକାନଗିରି ଜିଲ୍ଲା ବାଲିମେଳା -ଗୋବିନ୍ଦପାଲ୍ଲୀ ମୁଖ୍ୟ ରାସ୍ତାର ଚିତପାରି – ୩ ଗ୍ରାମ ନିକଟରେ ଗତକାଲି ରାତ୍ର ପ୍ରାୟ ୧୦ ଟା ସମୟରେ ଏକ ବାଇକ ଦୁର୍ଘଟଣା ହେବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ପିପଲ ପଦର ଗ୍ରାମର ଦୀପକ ଶୀଶା ( ୧୭ ) ଏବଂ ଅନ୍ୟ ଜଣେ ଯୁବକ ହେଲେ ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଦର ଗ୍ରାମର ଡପୁରୁ ଖିଲ ( ୧୬ ) । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଦୁଇ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ଚିତପାରି – ୩ ପଞ୍ଚାୟତର ସଦାଶିବପୁର ଗ୍ରାମକୁ ଆସିଥିଲେ । ସେଠାରୁ ରାତି ପ୍ରାୟ ୧୦ ଟା ବେଳେ ବାଲିମେଳା ଅଭିମୁଖେ ଆସୁଥିବା ସମୟରେ ଚିତପାରି – ୩ ଗ୍ରାମର କିଛି ଦୂରରେ ବାଇକଟି ଭାରସାମ୍ଯ ହରେଇ ରାସ୍ତା ପାର୍ଶ୍ବରେ ଥିବା ତାର ବାଡ଼ ଓ ଗଛରେ ଧକ୍କା ହୋଇ ଗୁରୁତର ଭାବେ ଆହାତ ହୋଇଥିଲେ ଏବଂ ରାସ୍ତା ପାର୍ଶ୍ବରେ ପଡି ରହିଥିଲେ । ଦୁଇ ଜଣ ଯୁବକଙ୍କ ବିଭିନ୍ନ ଅଙ୍ଗରେ କ୍ଷତ ସୃଷ୍ଟିହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଖବର ପାଇ ଓର୍କେଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ବାଲିମେଳା ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଓର୍କେଲ ଥାନା କେଶ ନଂ:୧୨୪ / ୨୨ ରେ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ଦୁଇଜଣ ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment