ବହୁ ଚର୍ଚ୍ଚିତ ହେମନ୍ତ ସିଂ ଗୋହିଲ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ।

ପୋଲସରା,୦୧/୦୩(ପିପିଟି):ଫେବୃଆରୀ ମାସ ୨୫ ତାରିଖ ଦିନ ରାତିରେ ସ୍ଥାନୀୟ ବଜାର ସାହି ଛକରେ ଥିବା ବିଜୁ ଜନତା ଦଳର ନଗର ସଭାପତି ରଞ୍ଜିତ ସାହୁଙ୍କ ଘର ର ଉପର ମହଲାରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ମାଧବ ପୃଷ୍ଟି ସାହିର ସୂର୍ଯ୍ୟ କୁମାର ସାହୁ ଓ ଗୌରୀ ପ୍ରଧାନ। ଏଥି ସହିତ ପୋଲିସ ଗୋଟିଏ ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ଓ ଗୋଟିଏ ଭୁଜାଲି ଜବତ କରିଛି। ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀ କାନ୍ତ ସାମଲ ଆଜି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇଥିବା ସୁଚନା ଅନୁଯାୟୀ ଗୁଜରାଟ ପ୍ରଦେଶ ସୁରାଟ ସହର ଉଦନା ଅଞ୍ଚଳର ହେମନ୍ତ ସିଂ ଗୋହିଲ ଜଣେ ବେଆଇନ ମଦ ବ୍ୟବସାୟୀ ଅଟନ୍ତି। ସୁରାଟୀ ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ଏଣୁ ସେ ଓଡ଼ିଶା ରହିବା ପାଇଁ ସ୍ଥିର କରି ପୋଲସରା ଆସୁଥିଲେ। ଅଭିଯୁକ୍ତ ସୂର୍ଯ୍ୟ କୁମାର ସାହୁ ହେମନ୍ତ ସିଂ ଗୋହିଲ ପାଖରେ ସୁରାଟ ରେ କାମ କରୁଥିବି ସମୟରେ ତା ନାମରେ ଗୋଟିଏ ଅବକାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ କରା ଯାଇଥିଲା। ସେହିପରି ଗୌରୀ ପ୍ରଧାନ ସୁରାଟରେ ସ୍ନେକ୍ସ ଦୋକାନ କରିଥିବା ବେଳେ ହେମନ୍ତ ସିଂ ଗୋହିଲ ତାକୁ ମାରଧର କରି ତାର ଗୋଟିଏ ହାତକୁ ଭାଙ୍ଗି ଦେଇଥିଲା। ଏଣୁ ୨୫ ତାରିଖ ଦିନ ରାତିରେ ହେମନ୍ତ ସିଂ ଗୋହିଲ ଶୋଇଥିବା ବେଳେ ସୂର୍ଯ୍ୟ କୁମାର ସାହୁ ପିସ୍ତଲରୁ ଗୁଳି ଫୁଟାଇ ପ୍ରଥମେ ହତ୍ୟା କରିବା ପରେ ଗୌରୀ ଭୁଜାଲି ରେ ହାଣିଥିଲା । ଏହି ଘଟଣା ପରେ ଉଭୟେ ଫେରାଇ ହୋଇ ଯାଇଥିଲେ । ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରିବା ଉଭୟଙ୍କୁ ଗିରଫ କରିବା ରେ ସଫଳ ହୋଇଛି ବୋଲି ଥାନା ଅଧିକାରୀ କୌଶିକ ମାଝୀ କହିଛନ୍ତି। ଏହି ହତ୍ୟା ପଛରେ ଆଉ କିଛି କାରଣ ଅଛି କି ଏବଂ ହତ୍ୟାକାଣ୍ଡ ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତା’ର ତଦନୂ ଚାଲିଛି। ଅତି ଶୀଘ୍ର ଘଟଣା ପର୍ଦ୍ଦାଫାଶ ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Comments (0)
Add Comment