ବସ୍ତିବାସିନ୍ଦାଙ୍କ ପ୍ରିୟ ନେତା ତଥା ସିପିଆଇ(ଏମ୍. ଏଲ୍)-ରେଡ଼ଷ୍ଟାର ରାଜ୍ୟ ସଂପାଦକ ଶିବରାମଙ୍କ କରୋନାରେ ମୃତ୍ୟୁ ।

ଭୂବନେଶ୍ୱର,ତା ୨୯/୦୫; ବସ୍ତିବାସିନ୍ଦାଙ୍କ ପ୍ରିୟ ନେତା ତଥା ଖଟିଖିଆ ଶ୍ରମିକ ଶ୍ରେଣୀର ହକ୍ ପାଇଁ ଲଢୁଥିବା ସାଲିସବିହୀନ ଯୋଦ୍ଧା ଶିବରାମ ଆଉ ନାହାଁନ୍ତି। ସି.ପି.ଆଇ (ଏମ୍ ଏଲ୍)- ରେଡଷ୍ଟାର୍ ର ଓଡିଶା ରାଜ୍ୟ ସମ୍ପାଦକ ତଥା ପଲିଟିବ୍ୟୁରୋ ସଦସ୍ୟ ସାଥି ଶିବରାମଙ୍କ ମାତ୍ର ୪୮ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ଗତକାଲି ରାତିରେ ମୃତ୍ୟୁ ବରଣ କରିଛନ୍ତି । ସେ ଗତ ୩ ମଇ ଠାରୁ କିମସ୍ ହସପିଟାଲରେ ଚିକିତ୍ସିତ ହେବା ସହ ଦୀର୍ଘ ୨୫ ଦିନ କରୋନା ସହ ସଂଘର୍ଷ କରି ଗତ ୨୮ ମଇ ରାତ୍ର ଘ୧୦.୪୪ମିନଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ(ଟି.ୟୁ.ସି.ଆଇ)ର ରାଜ୍ୟ ସଭାପତି ଏବଂ କେନ୍ଦ୍ରୀୟ କମିଟି ନେତା ଥିଲେ । ସର୍ବଭାରତୀୟ ବସ୍ତିବାସିନ୍ଦାଙ୍କ କୋଡିନେସନ କମିଟିର ଆବାହକ, ଚିଲିକା ଆନ୍ଦୋଳନ, ପୋସ୍କୋ ବିରୋଧୀ ଆନ୍ଦୋଳନରେ ଗିରଫ ହେବା ସହ ପୋସ୍କୋକୁ ହଟାଇବା ପାଇଁ ୩୯ ଦିନ ଧରି ଅହୋରାତ୍ର ଗଣଧାରଣା ସଫଳତାର ସହ ଆୟୋଜନ କରି ଓଡିଶା ମାଟିରୁ ପୋସ୍କୋକୁ ହଟାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆସିକା ଚିନିଶିଳ୍ପ ନୂଆଗାଁର ଶ୍ରମଜୀବି ମାତା ଦେବକୀ ସାହୁ ଏବଂ ପିତା ଶୁକଦେବ ସାହୁଙ୍କ ପୁତ୍ର ଶିବରାମ ପିଲାଟି ବେଳୁ ଦୁଃଖ କଷ୍ଟକୁ ଆଖି ଆଗରେ ଦେଖିଥିବାରୁ ଶ୍ରମଜୀବ ବର୍ଗ କିପରି ସମ୍ମାନର ସହ ବଞ୍ଚିବେ, ସେଥିପାଇଁ ସଦା ସର୍ବଦା ଚିନ୍ତିତ ଥିଲେ । ବିଶ୍ବ ସର୍ବହରା ଆନ୍ଦୋଳନର ନେତା ମହାନ୍ ଲେନିନଙ୍କ ଦୁଇଟି ପୁସ୍ତକ ପଢି ସେ ବାମପନ୍ଥୀ ଦର୍ଶନ ପ୍ରତି ଆକର୍ଷିତ ହୋଇଥିଲେ । ଆସିକା ଚିନିଶିଳ୍ପ ହାଇସ୍କୁଲ ଏବଂ ହରିହର ହାଇସ୍କୁଲ ରେ ପାଠପଢା ଶେଷ କରି ବ୍ରହ୍ମପୁରରେ ଶିକ୍ଷା ଆରମ୍ଭ କଲେ । ସେଠାରେ ଶ୍ରମଜୀବିଙ୍କ ପ୍ରିୟ ନେତା ଅବିର ପାଢୀଙ୍କ ସଂପର୍କରେ ଆସି ନିଜ ରାସ୍ତାକୁ ଆଗେଇ ନେଇଥିଲେ । ଜାତୀୟ ବିପ୍ଳବ ବାହିନୀ ଗଠନ କରି ଛାତ୍ର ଓ ଯୁବକ ମାନଙ୍କୁ ଏକାଠି କରି ସଂଗ୍ରାମକୁ ତେଜୀୟାନ କଲେ । ଏହି ସମୟରେ ସି.ପି.ଆଇ(ଏମ୍. ଏଲ୍)- ରେଡଫ୍ଳାଗର ସାଧାରଣ ସମ୍ପାଦକ କେ. ଏନ୍. ରାମଚନ୍ଦ୍ରନ୍ ଙ୍କ ନେତୃତ୍ୱରେ ପାର୍ଟିରେ ଯୋଗଦେଇ ବାମପନ୍ଥୀ ଦର୍ଶନରେ ନିଜକୁ ଗଢି ତୋଳିଥିଲେ । ସମୟ କ୍ରମେ ସେ ପାର୍ଟିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଅବସ୍ଥାପିତ ହୋଇ ବିଭିନ୍ନ ଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ବିଶେଷ କରି ବସ୍ତି ସୁରକ୍ଷା ମଞ୍ଚ ଗଠନ କରି ଶୋଷିତ ବସ୍ତିବାସିନ୍ଦାଙ୍କ ହକ୍ ପାଇଁ ଆନ୍ଦୋଳନକୁ ତୀବ୍ର ରୁ ତୀବ୍ରତର କରିଥିଲେ । ଏହି ଶୋଷଣମୂଳକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଚିନ୍ତିତ ସାଥି ଶିବରାମ ଜାତି, ଯୌତୁକ ତଥା ଜାକଯମକ ବିହୀନ ଭାବେ ସାଥି ପ୍ରମିଳାଙ୍କୁ ଆଦର୍ଶ ବିବାହ କରି ସମାଜକୁ ଏକ ବାର୍ତ୍ତା ପ୍ରଦାନ କରିଥିଲେ । ତାଙ୍କର ଗୋଟିଏ ୧୮ ବର୍ଷର ପୁଅ ଅଛି ତାର ନାମ ହେଉଛି ପ୍ରସିସ ସାହୁ(ସୋନୁ) । ସେ ବ୍ୟକ୍ତିଗତ ସମ୍ପତ୍ତିର ଦୃଢ ବିରୋଧୀ ଥିଲେ। ଫାସିବାଦ ବିରୁଦ୍ଧରେ ଜନ ଆନ୍ଦୋଳନକୁ ସୁଦୃଢ କରିବା ପାଇଁ ବିଭିନ୍ନ ସାମାଜିକ କର୍ମୀ, ଜନ ଆନ୍ଦୋଳନକାରୀ, ମାନବିକ ଅଧିକାର କର୍ମୀ, ପରିବେଶବିତ୍ ଓ ରାଜନୈତିକ କର୍ମୀଙ୍କୁ ଏକାଠି କରି ‘ଜନ ଅଧିକାର ମଞ୍ଚ, ଓଡିଶା’ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଭଳି ଜଣେ ଲଢୁଆ ତଥା ସାଲିସବିହୀନ ସଂଗ୍ରାମୀ ନେତାଙ୍କୁ ମାତ୍ର ୪୮ ବର୍ଷ ବୟସରେ ହରାଇଥିବାରୁ ସମସ୍ତେ ମର୍ମାହତ ହୋଇଛନ୍ତି । ସାଥୀ ଶିବରାମଙ୍କ ଏପରି ଦୁଃଖଦ ମୃତ୍ୟୁର ବାର୍ତ୍ତା ପାଇ ସି.ପି.ଆଇ(ଏମ୍.ଏଲ୍)- ରେଡଷ୍ଟାର୍ ର ମହାସଚିବ କେ. ଏନ୍. ରାମଚନ୍ଦ୍ରନ୍, ସି ପି ଆଇ ଏମ୍ ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ନେତା ଜନାର୍ଦ୍ଦନ ପତି, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ନ୍ୟୁ ଡେମୋକ୍ରେସୀର ଭାଲଚନ୍ଦ୍ର ଷଡ଼ଙ୍ଗୀ, ସିପିଆଇ ଏମ୍.ଏଲ୍. ର ଶ୍ରୀକାନ୍ତ ମହାନ୍ତି, ସିପିଆଇ(ଏମ୍.ଏଲ୍)-ଲିବରେସନ୍ ର ନେତା ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ତଥା ଇନସାଫ୍ ର ନରେନ୍ଦ୍ର ମହାନ୍ତି, ଏସ୍.ୟୁ.ସି.ଆଇର ନିରଞ୍ଜନ ମହାନ୍ତି, ଆମ୍ ଆଦମୀ ପାର୍ଟିର ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ସାମ୍ବାଦିକ ଗାର୍ଗୀ ଶତପଥି, କୃଷକ ନେତା ଲିଙ୍ଗରାଜ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ୍, ଶ୍ରମିକ ନେତା ବିଜୟ ଜେନା, ରକ୍ଷାକର ଅନୁପମ, ଲୋହିଆ ଏକାଡେମୀର ଦେବରାୟ ମହାପାତ୍ର, ପ୍ରଫେସର କିଶୋର ମିଶ୍ର, ଓଡିଶା କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଓଡିଶା ହେତୁବାଦୀ ସମାଜର ଦେବେନ୍ଦ୍ର ସୂତାର, ସାମ୍ବାଦିକ ସୁଧୀର ପଟ୍ଟନାୟକ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଦେବ ରଞ୍ଜନ ଓ ଡଃ ଗୋଲଖ ନାଥ, ମାନବିକ ଅଧିକାର ଆନ୍ଦୋଳନର ଅବନୀ ଗୟା, ରାଜନୈତିକ ଚିନ୍ତକ ତଥା ସ୍ତମ୍ଭକାର ସମୀର ରଞ୍ଜନ, ସୁରେନ୍ଦ୍ର ତାପସୁ, ଆମଫୋଇର ଅଧ୍ୟାପକ ବି. ରାମଚନ୍ଦ୍ର, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ମୂଳନିବାସୀ ସମତା ପରିଷଦର ଅଭିରାମ ମଲ୍ଲିକ, ଓଡିଶା ଦଳିତ ଅଧିକାର ମଞ୍ଚର ମାନସ ଜେନା, ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଶିକ୍ଷା ଅଧିକାର ଅଭିଯାନର ସଂଯୁକ୍ତା ପାଣିଗ୍ରାହୀ, ଆମ୍ବେଦକର-ଲୋହିଆ ବିଚାରମଞ୍ଚର ସଂଗ୍ରାମ ମଲ୍ଲିକ, ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ର ଖଗେଶ୍ବର ସେଠୀ, ସି.ଏସ୍.ଡିର ପ୍ରଦୀପ ସାହୁ ଓ ଡଃ ଶ୍ରୀଚରଣ, ଆଦି ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ବାର୍ତ୍ତା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରି ସାଥୀ ଶିବରାମଙ୍କ ଏପରି ଅକାଳମୃତ୍ୟୁ ବାମପନ୍ଥୀ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି ବୋଲି ସେମାନଙ୍କ ବାର୍ତ୍ତାରେ ଦର୍ଶାଇଛନ୍ତି । ସତ୍ୟନଗର ଶ୍ବଶ୍ମାନରେ ପାର୍ଥୀବ ଶରୀରକୁ ଶେଷ ଦର୍ଶନ କରିବା ପାଇଁ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ, ବାମପନ୍ଥୀ ଚିନ୍ତକ ଶ୍ରୀମନ୍ତ ମହାନ୍ତି, ସି. ପି. ଆଇ ର ରାମକୃଷ୍ଣ ପଣ୍ଡା, ଫରଓ୍ବାଡ ବ୍ଳକର ଜ୍ୟୋତି ରଞ୍ଜନ ମହାପାତ୍ର, ଜନବାଦୀର ସମ୍ପାଦକ ଲେନିନ, ବନ୍ଦୀ ମୁକ୍ତି କମିଟିର ରୁମିତା କୁଣ୍ଡୁ, ମୁକ୍ତବୃତ୍ତ ସାମ୍ବାଦିକ ସତୀଶ ମିଶ୍ର, ଆଇନଜୀବୀ ସୁବାସ ସାହୁ, ନେପାଳୀ ଏକତା ସମାଜର ସାଥି ଶଶିକଳା, ଗିରିରାଜ, ବସ୍ତି ଆନ୍ଦୋଳନର ଜୟଦେବ ନାୟକ, ଅଞ୍ଜନ ନାଥ, ରଘୁନାଥ ନାଥ, ବାମପନ୍ଥୀ ନେତା ସନ୍ତୋଷ ଦାଶ, ଆଦି ଶେଷ ଦର୍ଶନ କରି ପୁଷ୍ପ ପ୍ରଦାନ କରିଥିଲେ । ସି ପି ଆଇ(ଏମ୍ ଏଲ୍)ରେଡଷ୍ଟାର ରାଜ୍ୟ କମିଟିର ସଦସ୍ୟ ପ୍ରମିଳା ବେହେରା, ସବ୍ୟସାଚୀ, ଶଙ୍କର ସାହୁ, ରଞ୍ଜନ ମିଶ୍ର, ସୁବଳ ଚରଣ ସାହୁ, ରାଜେନ୍ଦ୍ର ପ୍ରସାଦ ବାରିକ, ହେନାରାଣୀ ବାରିକ ଆଦି ସାଥୀ ଶିବରାମ ଅମର ରହେ, ସାଥି ଶିବରାମ ଙ୍କୁ ଲାଲ ସଲାମ ଜଣାଇ ଶବାଧାରରେ ପୁଷ୍ପ ଅର୍ପଣ କରି ଦିବଙ୍ଗତ ନେତାଙ୍କ ପ୍ରତି ସମ୍ମାନ ଶେଷ ବିଦାୟ ଜଣାଇଥିଲେ ।

Comments (0)
Add Comment