ବସୁନ୍ଧରା ଓ ଗ୍ରାମ କଣ୍ଠ ଘରବାରି ପଟ୍ଟା ବଣ୍ଟନ; ୨୦୩୬ସୁଦ୍ଧା ବିକଶିତ ଓଡ଼ିଶା ଗଠନ: ମନ୍ତ୍ରୀ

ଭଞ୍ଜନଗର, ୧୬/୦୨(ପିପିଟି) : ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭଞ୍ଜନଗର ଏନଏସି ଟାଉନ ହଲ ଠାରେ ଘୁମୁସର ତହସିଲ ଅନ୍ତର୍ଗତ ବସୁନ୍ଧରା ଓ ଗ୍ରାମ କଣ୍ଠ ଘରବାରି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ ମଞ୍ଚାସୀନ ଥିଲେ।ପଟ୍ଟା ନିମନ୍ତେ ୧୪୨ଟି ରାଜସ୍ୱ ଗ୍ରାମରୁ ମୋଟ ୧୨ଶହ ଆବେଦନ ଗ୍ରହଣ କରାଯାଇଛି।ସେଥି ମଧ୍ୟରେ ୭୦୧ ହିତାଧିକାରୀଙ୍କ ପଟ୍ଟା ଚୂଡାନ୍ତ ହୋଇଛି।ଭଞ୍ଜନଗର ଅଞ୍ଚଳରେ ଲୋକଙ୍କ ପାଇଁ ପଟ୍ଟା ପାଇବା ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଭଞ୍ଜନଗର ବିଧାୟକ ଏସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହାକୁ ଗୁରୁତ୍ୱ ଦେଇ କିଭଳି ଗଞ୍ଜାମ ଜିଲ୍ଲାରେ ସମସ୍ତ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ୪ଡେସିମିଲ ଜାଗା ଓ ଗ୍ରାମ କଣ୍ଠ ଘରବାରି ପଟ୍ଟା ଦଳମତ ନିର୍ବିଶେଷରେ ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆଜି ଏହି କାର୍ଯ୍ୟକ୍ରମରେ କେତେକ ହିତାଧିକାରୀଙ୍କୁ ମନ୍ତ୍ରୀ ଓ ବିଧାୟକ ଉଭୟ ବସୁନ୍ଧରା ଓ ଗ୍ରାମ କଣ୍ଠ ଘରବାରି ପଟ୍ଟା ପ୍ରଦାନ କରିଥିଲେ।ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨ଲକ୍ଷରୁ ଉର୍ଦ୍ଧ୍ବ ପଟ୍ଟା ବଣ୍ଟନ ହୋଇଥିବା ବେଳେ ଆହୁରି ୪୮ହଜାରଙ୍କୁ ଲୋକ ଚିହ୍ନଟ କରାଯାଇଛି।୨୦୨୬ସୁଦ୍ଧା ଭୂମିହୀନ ଓ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା ପ୍ରଦାନ ନିମନ୍ତେ ପ୍ରକ୍ରିୟା ଚାଲିଛି।ସରକାର ଆଗାମୀ ଦିନରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସ୍ଥାପନ କରିବା ସହ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଘଟାଇବା ଏବଂ ୨୦୩୬ରେ ଓଡ଼ିଶା ରାଜ୍ୟ ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ ବିକଶିତ ଓଡ଼ିଶା,ସମୃଦ୍ଧ ଓଡିଶା ଓ ଆତ୍ମ ନିର୍ଭର ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ଲମ୍ବା ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।ଏଥିରେ ଭଞ୍ଜନଗର ଏନଏସି ଓ ବ୍ଲକର ଅଧିକାରୀ,ବିଜେପି ନେତୃବୃନ୍ଦ, କର୍ମୀ ଏବଂ ସ୍ଥାନୀୟ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment