ତିର୍ତ୍ତୋଲ,୦୭/୦୫(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ ନନ୍ଦନ ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତତ୍ତ୍ଵାବଧାନରେ ନିର୍ମିତ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ର ବିଭିନ୍ନ ସ୍ଥାନରେ ରଡ୍ ଦେଖାଯାଉଛି ଓ ସେହି ସ୍ଥାନରୁ ପାଣି ଗଳୁଥିଵା ଦେଖାଯାଉଛି । ଏହି ପାଣିଟାଙ୍କି ଓ ଅନ୍ୟ ସମସ୍ତ କାର୍ଯ୍ୟକୁ ସିମେଣ୍ଟ ପ୍ଲାଷ୍ଟର କରା ନଯାଇ ରଙ୍ଗ ଲେସା ଯାଇଥିବା ଦେଖିବାକୁ ମିଳୁଛି । ଟାଙ୍କିରୁ ପାଣି ଗଳି ଏହାର ମୂଳ ଦୁର୍ବଳ ହେବାରେ ଲାଗିଛି । ଚତୁଃପାର୍ଶ୍ଵରେ ପାଣି ଜମା ହୋଇ ରହିବାରୁ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ପରିଵେଶ ସୃଷ୍ଟି ହୋଇଛି । ଏହି ପାଣିଟାଙ୍କି ଉପରକୁ ଯିବା ପାଇଁ ହୋଇଥିବା ଶିଢି ଅତ୍ୟନ୍ତ ନିମ୍ନମାନର ଓ ଵିପଦସଂକୁଳ । ଶିଢି ପାର୍ଶ୍ଵରେ ଦିଆଯାଇଥିବା ରେଲିଂ ନଡ଼ିଆ କତା ଦଉଡି ରେ ବନ୍ଧା ହୋଇଛି । ବିପଦପୂର୍ଣ୍ଣ ଏହି ପାଣିଟାଙ୍କି ପାର୍ଶ୍ଵସ୍ଥ ସର୍ବସାଧାରଣ ରାସ୍ତାରେ ଯିବାକୁ ଲୋକେ ଭୟ କରୁଛନ୍ତି । ଜଳଯୋଗାଣ ନିମନ୍ତେ ଉଦ୍ଧିଷ୍ଟ ପମ୍ପ ହାଉସ ଛୋଟ ଗୁଳ୍ମ ଓ ଜଙ୍ଗଲି ଲତା ଦ୍ଵାରା ପରିବେଷ୍ଟିତ ହୋଇ ବିଷଧର ସାପଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଗତ ବର୍ଷ ଡିସେମ୍ବର ମାସରେ ସଂପୂର୍ଣ୍ଣ ହୋଇଥିଵା ଏହି ପ୍ରକଳ୍ପ ଏକ ମାସରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରିନଥିଵା ରିପୋର୍ଟ ପିପିଟି ନ୍ଯୁଜ୍ ରେ ପ୍ରଥମେ ପ୍ରସାରିତ ହୋଇଥିଲା । ପିପିଟି ନ୍ଯୁଜ୍ ପ୍ରଭାବରେ ବିଭାଗ ତରଫରୁ ତତ୍ପରତା ଦେଖାଇ ଜଳଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ପାଣି ଲିକ୍ ହେବା ସମସ୍ତଙ୍କ ନଜରକୁ ଆସିଲା । କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳା ର ତଦନ୍ତ ହେବା ଉଚିତ୍ ବୋଲି ମତ ରଖିଛନ୍ତି ପୂର୍ବତନ ଓ୍ଵାର୍ଡ ମେମ୍ବର ନରେଶ ନାୟକ । ଏପରି ନିମ୍ନମାନର କାର୍ଯ୍ୟରେ ମୋଟା ଅଙ୍କର ପିସି କାରବାର ହୋଇଥିବା ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି ।
( ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)