ବର୍ଷାଜଳ ନିଷ୍କାସନ ନେଇ ମନ୍ତ୍ରୀଙ୍କ ତତ୍ପରତା, ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନିର୍ଦ୍ଦେଶ ।

ବ୍ରହ୍ମପୁର,୨୫/୦୯(ପିପିଟି):ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ପରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକର, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବ୍ରହ୍ମପୁର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରି ମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ସହ ଡ୍ରେନ୍ ସଫେଇ ଓ ଅବରୋଧ ହଟାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଲନ୍ଥରା ଠାରୁ ବ୍ରହ୍ମପୁର ମହାନଗର ନିଗମର ୪୨ ନମ୍ବର ୱାର୍ଡ ଶ୍ୟାମନଗର ପର୍ଯ୍ୟନ୍ତ ଅଞ୍ଚଳ ପରିଦର୍ଶନ କରି ଜଳବନ୍ଦୀ ଓ ଡ୍ରେନେଜ୍ ସ୍ଥିତି ସମୀକ୍ଷା କରାଯାଇଥିଲା । ଡ୍ରେନ୍‌ରୁ ଅବରୋଧ ହଟାଇବା ସହ ବର୍ଷାଜଳର ସ୍ୱାଭାବିକ ପ୍ରବାହ ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଯନ୍ତ୍ରପାତି ତୁରନ୍ତ ନିୟୋଜନ କରିବାକୁ ବିଏମ୍‌ସି କମିଶନରଙ୍କୁ କୁହାଯାଇଛି ।

ପରେ ଗଞ୍ଜୁ ଗ୍ରାମପଞ୍ଚାୟତ ଅଧୀନ ବ୍ରହ୍ମପଲ୍ଲୀ ଅଞ୍ଚଳରେ ମଧ୍ୟ ଜଳ ନିଷ୍କାସନ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଡ୍ରେନ୍ ସଫେଇ ସହ ଆବଶ୍ୟକ ସ୍ଥାନରେ ରିଟେନିଂ ୱାଲ୍ ନିର୍ମାଣ କିମ୍ବା ମରାମତି କରି ଅଧିକ କ୍ଷୟକ୍ଷତି ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଭାବିନିପୁର ଗ୍ରାମପଞ୍ଚାୟତ ଅଧୀନ ନୀଳାଞ୍ଚଳ ନଗରର ବାହାନା ନାଳ ପରିଦର୍ଶନ କରି ନାଳରେ ଜଳ ପ୍ରବାହକୁ ବାଧା ଦେଉଥିବା ଅବରୋଧ ଓ ଜବରଦଖଲ ଚିହ୍ନଟ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଅନୁସାରେ ଜବରଦଖଲ ହଟାଇବା ସହ ନାଳର ନିୟମିତ ରକ୍ଷଣାବେକ୍ଷଣ ଓ ମନିଟରିଂ କରିବାକୁ କୁହାଯାଇଛି ।

କୋଳଥିଗ୍ରାମ ପଞ୍ଚାୟତରେ ବର୍ଷାଜନିତ ଜଳବନ୍ଦୀ ଓ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା ସହ ଡ୍ରୋନ୍ ସର୍ଭେ କରାଯାଇଥିଲା । ପ୍ରଭାବିତ ଅଞ୍ଚଳର ବିସ୍ତୃତ ଡ୍ରେନେଜ୍ ସର୍ଭେ କରି କ୍ଷୟକ୍ଷତିର ଆକଳନ ଏବଂ ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ଥିବା ସ୍ଥାନ ଚିହ୍ନଟ କରିବାକୁ ଅଧିକାରୀଙ୍କୁ କୁହାଯାଇଛି ।

ଲଉଡ଼ିଗ୍ରାମ ଗ୍ରାମପଞ୍ଚାୟତ ଅଧୀନ କୀର୍ତ୍ତିପୁର ବ୍ରିଜ୍‌ରେ ଜଳ ନିଷ୍କାସନ ସ୍ଥିତି ଓ ବ୍ରିଜ୍ ନିକଟରେ ଜମିଥିବା ଦଳ ଓ ଗଛ ପତ୍ର ଯାଞ୍ଚ କରାଯାଇଥିଲା । ତୁରନ୍ତ ଦଳ ହଟାଇବା ପାଇଁ ଜେସିବି ସମେତ ଆବଶ୍ୟକ ଯନ୍ତ୍ରପାତି ନିୟୋଜନ କରାଯାଇଥିଲା । ଏଥିପାଇଁ ଆର୍‌ଆଣ୍ଡବିର ଦୁଇଟି ଡିଭିଜନ୍, ଏନ୍‌ଏଚ୍ ଡିଭିଜନ୍, ଆଦାନୀ ପୋର୍ଟ ଓ ବିଏମ୍‌ସି ପକ୍ଷରୁ ଗୋଟିଏ ଲେଖାଏଁ ଜେସିବି ଯୋଗାଇବାକୁ ନିଷ୍ପତ୍ତି ହୋଇଛି ।

ସମଗ୍ର ଅଞ୍ଚଳରେ ଡ୍ରେନ୍ ଅବରୋଧ ହଟାଇବା, ଆବଶ୍ୟକ ଯନ୍ତ୍ରପାତି ମୁତୟନ କରିବା ଏବଂ ଜଳବନ୍ଦୀ ପ୍ରବଣ ଅଞ୍ଚଳରେ ନଜର ରଖିବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁଁ ପୁଣି ଜଳବନ୍ଦୀ ସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନେବା ସହ ସମସ୍ତ ପ୍ରତିକାରମୂଳକ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ କୁହାଯାଇଛି ।

Comments (0)
Add Comment